ଭୁବନେଶ୍ୱର– ବରିଷ୍ଠ ରାଜନେତା ଅମର ପ୍ରସାଦ ଶତପଥୀ କହିଛନ୍ତି ବିଜେଡିର ଜଣେ ପରେ ଜଣେ ନେତା ଯେଭଳି ଅରୁଚିକର ଅପରିପକ୍ୱ ମନ୍ତବ୍ୟ ଦେଉଛନ୍ତି ତା ପରେ ସେମାନଙ୍କ ପ୍ରତି ମୋର ଦୟା ଆସୁଛି । ଯେଉଁମାନେ ବିଜୁ ଜନତା ଦଳ ଗଠନ ରେ ନଥିଲେ ସେମାନେ ବର୍ତ୍ତମାନ ଆସି କ୍ୟାମେରା ସାମ୍ନା ରେ ବହୁତ କଥା କହୁଛନ୍ତି । ଏଭଳି ବୟାନବାଜି ହିଁ କହୁଛି ବିଜେଡି ବର୍ତ୍ତମାନ ବାସ୍ତବତା ଠୁ କେତେ ଦୂରରେ ରହିଛି । ମୋତେ ଦୁଃଖ ଲାଗୁଛି ବୟାନ ବାଜି କରୁଥିବା ନେତା ମାନେ ବାସ୍ତବତାକୁ ବୁଝିବାକୁ ଚାହୁଁ ନାହାନ୍ତି ।
ସେ କହିଛନ୍ତି ଯେ, ବୟାନବାଜି କରୁଥିବା ନେତା ମାନେ ମୋ ମୂଳ ପ୍ରଶ୍ନ ରେ ଉତ୍ତର ଦେଉ ନାହାନ୍ତି । ଦଳର ପରାଜୟ କାହିଁକି ହେଲା ଏବଂ ଗୋଲମାଳିଆ ସ୍ଥିତି ପାଇଁ କିଏ ଦାୟୀ ରାଜ୍ୟ ସଭାପତି ସେ ବିଷୟରେ ଉତ୍ତର ଦେବା ଦରକାର ବୋଲି ମୁଁ କହିଥିଲି । ରାଜ୍ୟ ସଭାପତି ବର୍ତ୍ତମାନ ସୁଦ୍ଧା ମୁହଁ ଖୋଲି ନାହାନ୍ତି । କିନ୍ତୁ ଯେଉଁମାନେ ତାଙ୍କ ତରଫରୁ କହୁଛନ୍ତି ସେମାନଙ୍କ ପ୍ରଛଦ ପଟରେ କିଏ ଅଛି ସାମ୍ନା ପଟରେ କିଏ ଅଛି ତାହା କହିବାକୁ ଚାହୁଁନି । ମାତ୍ର ଦଳର ପ୍ରଭୁତ କ୍ଷତି ସେହିମାନେ ହିଁ କରୁଛନ୍ତି ।
ଦଳରେ ସଂସ୍କାର ଆଣିବା ଲାଗି ସ୍ଥିତି ରେ ସୁଧାର ଆଣିବା ଲାଗି କହିଥିଲି କିନ୍ତୁ ତାକୁ ଭୁଲ ବାଟରେ ନେଇ ଅଣ ନିଶ୍ୱାସୀ ଥିବା କଥା କୁହାଗଲା । ଯିଏ ଅଣନିଶ୍ୱାସୀ ଶବ୍ଦ ଟି ଲଗେଇଛନ୍ତି ସେ କେତେ ଅମ୍ଳଜାନ କି ଅଙ୍ଗାରକାମ୍ଳ ପାଉଛନ୍ତି ଜାଣିନି ।
ସେ କହିଛନ୍ତି ଯେ, ଦଳରେ ପୁଞ୍ଜିଭୂତ ଅସନ୍ତୋଷ ଥିଲା । କିନ୍ତୁ କେହି କହୁ ନଥିଲେ । ମୁଁ ମୁହାଁ ଖୋଲିବା ଆରମ୍ଭ କରିବା ପରେ ଧୀରେ ଧୀରେ ବାସ୍ତବତାକୁ ବୁଝୁଥିବା ନେତା ମାନେ ସମସ୍ତେ କହିବା ଆରମ୍ଭ କରିଛନ୍ତି । ଆଗକୁ ବିଜେଡିରେ ଆହୁରି ଅନେକ କଥା ଘଟିବାକୁ ଯାଉଛି । ଦୁଇ ଜଣ ରାଜ୍ୟସଭା ସାଂସଦ ପରେ ଅନ୍ୟ ମାନେ ମଧ୍ୟ ସେହି ଲାଇନ ରେ ଅଛନ୍ତି । ସେମାନେ ହୁଏତ ଛାଡି ପାରନ୍ତି ବୋଲି ସେ କହିଛନ୍ତି ।