ଧର୍ମଶାଳା – ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଂଚଳରେ ଏବେ ଗୁରୁତର ଟ୍ରାଫିକ୍ ସମସ୍ୟା ଦେଖା ଦେଇଛି । ମୁଖ୍ୟ ଓ ଗାଁ ଗହଳିର ରାସ୍ତାରେ ସବୁଠି ଟ୍ରାଫିକ୍ ସମସ୍ୟା । ଏହି ସମସ୍ୟା ସମ୍ପର୍କରେ ବାରମ୍ବାର ଅଭିଯୋଗ ପରେ ବି ସମସ୍ୟାର ସମାଧାନ ହେଉନି । ଅନ୍ୟପକ୍ଷରେ ସ୍ଥାନୀୟ ପ୍ରଶାସନିକ ତଥା ପୋଲିସ ପ୍ରଶାସନର ଅବହେଳା ପାଇଁ ଟ୍ରାଫିକ୍ ସମସ୍ୟା ଲାଗି ରହିବାର ଲୋକଙ୍କଠାରୁ ଶୁଣିବାକୁ ମିଳୁଛି । ତେବେ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀ ଜନସାଧାରଣ । ବିଶେଷ କରି ସ୍କୁଲ କଲେଜର ଛାତ୍ରଛାତ୍ରୀ ଓ ମେଡିକାଲକୁ ଯାଉଥିବା ରୋଗୀ ଅଟୋ,ବାଇକ୍ ଓ କାରରେ ଘଂଟା ଘଂଟା ଛିଡା ହେବାକୁ ପଡୁଛି । ଅବିଭକ୍ତ ବ୍ରହ୍ମବରଦା ଜିଲାର ଏକ ଅଗ୍ରଣୀ ବ୍ୟବସାୟ ପ୍ରତିଷ୍ଠାନ ଭାବେ ବେଶ ଜଣାଶୁଣା । ବରୁହାଁ-ବାଲିଚନ୍ଦ୍ରପୁର ଓ ବ୍ରହ୍ମବରଦା -ଜାରକା ଅଂଚଳକୁ ସଂଯୋଗ କରୁଛି ବ୍ରହ୍ମବରଦା ବ୍ୟାଙ୍କଛକ ଠାରେ ଥିବା ରାସ୍ତା । ଏଠାକୁ ଦୈନଦିନ ସ୍ଥାନୀୟ ୧୦ ଗୋଟି ପଂଚାୟତର ଶହଶହ ଲୋକେ ଏହି ବଜାର ଉପରେ ନିର୍ଭର କରନ୍ତି । ଏଠାରେ ୩ ଗୋଟି ରାଷ୍ଟ୍ରାୟତ ବ୍ୟାଙ୍କ ସହ ୧୦ରୁ ଉର୍ଦ୍ଧ ଘରୋଇ ଶିକ୍ଷାନୁଷ୍ଠାନ,୨ଟି ମେଡିକାଲ ରହିଛି । ଏହା ସହିତ ହଜାରେରୁ ଉର୍ଦ୍ଧ ରହିଛି ଛୋଟବଡ ବ୍ୟବସାୟ ପ୍ରତିଷ୍ଠାନ ସହ ରହିଛି ଗୋଟିଏ ସାପ୍ତାହିକ ହାଟ ଓ ଦୈନଦିନ ପରିବା ଦୋକନ ଓ ମାଛ ମାର୍କେଟ । ଦୋକାନ ଓ ବ୍ୟାଙ୍କମାନଙ୍କ ସମ୍ମୁଖରେ ଆବଶ୍ୟକୀୟ ପାର୍କିଂ ବ୍ୟବସ୍ଥାର ସୁବିଧା ନାହିଁ । ବିଶେଷ କରି ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଦିନକୁ ଦିନ ଗ୍ରାହକଙ୍କ ଭିଡ ଜମୁଛି । ଫଳରେ ବ୍ୟାଙ୍କରେ ପାର୍କିଂ ସୁବିଧା ନ ଥିବାରୁ ଗ୍ରାହକମାନେ ମୁଖ୍ୟ ରାସ୍ତା ଉପରେ ସାଇକେଲ ମଟରସାଇକେଲ ଓ କାରଗୁଡିକୁ ବେଆଇନଭାବେ ପାର୍କିଂ କରୁଛନ୍ତି । ଅନ୍ୟପକ୍ଷେ ଦୋକାନୀମାନେ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନଗୁଡିକୁ ମୁଖ୍ୟ ରାସ୍ତା ଉପରକୁ ମାଡି ବସୁଛନ୍ତି । ଫଳରେ ରାସ୍ତା ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି । ଏହି ରାସ୍ତା ଦେଇ ଭାରିଯାନ ଚଳାଚଳ ଫଳରେ ଟ୍ରାଫିକ୍ ସମସ୍ୟା ବହୁଳଭାବେ ବଢି ଯାଇଛି । ଗୁରୁତ୍ୱପୂର୍ଣ୍ଣ ସମୟରେ ରୋଗୀ ଓ ସମ୍ପର୍କୀୟମାନଙ୍କୁ ରାସ୍ତା ଉପରେ ଘଂଟା ଘଂଟା ଅପେକ୍ଷା କରିବାକୁ ପଡୁଛି । ଫଳରେ ଅନ୍ୟ ଗାଡିମୋଟର ଯାତାୟତରେ ବାଧକ ସହ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି । ଖରା ବର୍ଷାରେ ରାସ୍ତା ଉପରେ ଜନସାଧାରଣ ନାହିଁ ନ ଥିବା ଅସୁବିଧାରେ ସମ୍ୁଖୀନ ହେଉଛନ୍ତି । ସ୍ଥାନୀୟ ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବେଆଇନ ପାର୍କିଂ କରୁଥିବା ଚାଳକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।