ଭୁବନେଶ୍ୱର – ସହରାଂଚଳର ପ୍ରଶାସନରେ ଅଧିକ ସ୍ୱଚ୍ଛତା ଆଣିବା ଓ ପ୍ରଶାସନକୁ ପ୍ରଭାବୀ କରିବା ଉଦେ୍ଧଶ୍ୟରେ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନଲାଇନ ପ୍ରପର୍ଟି ଟ୍ୟାକ୍ସ ମଡ୍ୟୁଲର ଶୁଭାରମ୍ଭ କରିଛନ୍ତି । ଏହା ଦ୍ୱାରା କୌଣସି ସମୟରେ କୌଣସି ଠାରେ ଟ୍ୟାକ୍ସ ପ୍ରଦାନ କରାଯାଇ ପାରିବ । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମ୍ୟୁନିସିପାଲ ପ୍ରିମିୟର ଲିଗର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଲୋକସେବା ଭବନର କନଭେନସନ ସେଂଟରରେ ମୁଖ୍ୟମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଏହି ଦୁଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଫାଇଭ ଟି ଲକ୍ଷ୍ୟ ମଧ୍ୟରୁ ଗୋଟିଏ ଗୁରୁତ୍ୱୂୁପୂର୍ଣ ଲକ୍ଷ୍ୟକୁ ଆକାର ଦେଉଥିବାରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଅଭିନନ୍ଦନ ଜଣାଇଥିଲେ । ଟେକ୍ନୋଲଜିର ବ୍ୟବହାର ଦ୍ୱାରା ବିଭିନ୍ନ ସେବା କିପରି ଲୋକ ମାନେ ସହଜରେ ପାଇପାରିବେ ସେ ନେଇ ରାଜ୍ୟ ସରକାର କାମ କରୁଛନ୍ତି । ଆଜି ଶୁଭାରମ୍ଭ କରା ଯାଇଥିବା ଅନଲାଇନ ପ୍ରପର୍ଟି ଟ୍ୟାକ୍ସ ମଡ୍ୟୁଲ ଦ୍ୱାରା ଲୋକ ମାନେ ସେମାନଙ୍କର ଟ୍ୟାକ୍ସକୁ ସହଜରେ କେତେ ବେଳେ ଓ କେଉଁଠାରୁ ହେଲେ ବି ଦେଇ ପାରିବେ । ଏହା ଲୋକ ମାନଙ୍କ ପାଇଁ ଲାଭଦାୟକ ହେବ । ଏହା ଅତ୍ୟନ୍ତ ଭଲ ଉଦ୍ୟମ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ କୌଣସି ସହରାଂଚଳର ବିକାଶ ପାଇଁ ରାଜସ୍ୱ ବଢାଇବାର ଆବଶ୍ୟକତା ରହିଛି । ଅଧିକ ରାଜସ୍ୱ ବଢିଲେ ଅଧିକ ନିବେଶ ହୋଇ ପାରିବ ଓ ଲୋକ ମାନେ ଭଲ ସେବା ପାଇ ପାରିବେ । ଏହା ଦ୍ୱାରା ସେମାନଙ୍କର ଜୀବନ ଧାରଣର ମାନ ମଧ୍ୟ ବଢିବ ବୋଲି ସେ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅନଲାଇନ ପ୍ରପର୍ଟି ଟ୍ୟାକ୍ସ ମଡ୍ୟୁଲ ଓ ମ୍ୟୁନିସିପାଲ ପ୍ରିମିୟର ଲିଗ ସମ୍ପର୍କରେ ଦୁଇଟି ଭିଡିଓ ଡକ୍ୟୁମେଂଟାରୀ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା, ବିକାଶ କମିଶନର ସୁରେଶ ମହାପାତ୍ର, ବିଭାଗୀୟ ସଚିବ ଜି ମାଥିଭାତନନ, ଫାଇଭଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ ।