
ଗଂଜାମ– ଦଶହରା ପୂର୍ବରୁ ଓ ପରେ ବିଦ୍ଯୁତ ଜଳଯୋଗାଣ ବିଭାଗ ଭଳି କେତେକ ବିଭାଗର କର୍ମଚାରୀ ଘର ଘର ବୁଲି ଗ୍ରାହକଙ୍କ ଠାରୁ ଦଶହରାମାମୁଲି (ପାଉଣା)ଆଦାୟ କରିବା ଏକ ପ୍ରଥା ପାଲଟିଲାଣି। ଯେଉଁ ମାନେ ମାମୁଲି ଦେବାକୁ ବିରୋଧ କରୁଛନ୍ତି କିମ୍ବା ଦେଉନାହାନ୍ତି ପରବର୍ତ୍ତୀ ସମୟରେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୁଲିସ୍ ବିଭାଗ ଦଶହରା ପୂଜା କିମ୍ବା ମେଢ ପାଇଁ ଚାନ୍ଦା ଆଦାୟ କରୁଥିବା ବ୍ଯକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଉଥିବା ବେଳେ ଦଶହରା ମାମୁଲି ମାଗୁଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଜନମତ ପ୍ରକାଶ ପାଉଛି । ସବୁଠାରୁ ରୋଚକ ଘଟଣା ଯେ, ଶେରଗଡ ବ୍ଳକରେ କେତେକ ଗଣମାଧ୍ୟମ ପ୍ରତିନିଧି ଓ ଅଣସାମ୍ବାଦିକ (ନକଲି) ଭୀକାରୀଙ୍କ ଭଳି ବିଭିନ୍ନ ବିଭାଗର ଜେଇ ଓ ଅଫିସରଙ୍କ ଦ୍ଵାରସ୍ଥ ହୋଇ ଦଶହରା ମାମୁଲି ମାଗୁଛନ୍ତି। ଦୁର୍ନୀତିଗ୍ରସ୍ତ କେତେକ ଜେଇ ଓ ଅଫିସର ନିଜର କଳାକାରନାମାକୁ ଘଣ୍ଟ ଘୋଡାଇବାକୁ ଏମାନଙ୍କୁ ହଜାର ହଜାର ଟଂକା ଦଶହରା ମାମୁଲି ଦେଇ ଘୃଣ୍ଯପ୍ରଥା ତଥା କୁତ୍ସିତ ପରଂପରା ସୃଷ୍ଟି କରୁଥିବା ଜଣାପଡିଛି ।