
କେନ୍ଦୁଝର/ଘଟଗାଁ– କେନ୍ଦୁଝର ସହର ଦେଇ ଯାଇଥିବା ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଥିବା କଭର ଯୁକ୍ତ ଡ୍ରେନ ଗୁଡିକର ସୁରକ୍ଷା ଓ ମରାମତି ପ୍ରତି ପୌର କର୍ତୁପକ୍ଷ ଦୃଷ୍ଟି ଦେଉନଥିବାରୁ ଡ୍ରେନ ଗୁଡିକ ଧୀରେ ଧୀରେ ଭାଙ୍ଗିରୁଜି ବିପଦଜନକ ଅବସ୍ଥାରେ ପହଁଞ୍ଚିଛି । ରାସ୍ତାର ଉଭୟ ପାର୍ଶ୍ଵରେ ଥିବା କଭର ଯୁକ୍ତ ଡ୍ରେନ ଗୁଡିକର ରକ୍ଷଣ ବେକ୍ଷଣ ପ୍ରତି ପୌର ବିଭାଗ ଦୃଷ୍ଟି ଦେଉ ନଥିବାରୁ ଡ୍ରେନ ଗୁଡିକର କଭର ଗୁଡିକ ଭାଙ୍ଗି ଗର୍ତ୍ତ ମାନ ସୃଷ୍ଟି ହୋଇଛି । ଯାହାକି ପଥଚାରୀ, ଛୋଟ ଛୋଟ ସ୍କୁଲ ପିଲାଙ୍କ ସମେତ ଗାଇ ଗୋରୁ, ଛେଳିଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଡ୍ରେନ ନିକଟରେ ରହୁଥିବା ଲୋକମାନେ ନୂତନ ଗୃହ ନିର୍ମାଣ ଲାଗି ଏହି କଭରଯୁକ୍ତ ଡ୍ରେନ ଉପରେ ଗୃହ ନିର୍ମାଣ ଉପକରଣ ଇଟା, ବାଲି, ଚିପ୍ସ ସବୁ ଗଦା କରିବା ସହ ଚାରି ଚକିଆ ଯାନ ପାର୍କିଂ କରୁଥିବାରୁ ଲୋଡ଼ ପାଇ ଡ୍ରେନ ଗୁଡିକର କଭର ଫାଟି ଯାଇ ଗର୍ତ୍ତ ସୃଷ୍ଟି ହେଉଛି । ଫଳରେ ଡ୍ରେନ ନିକଟସ୍ଥ ଦୋକାନୀମାନେ ନିଜ ଦୋକାନରୁ ଦୈନିକ ନିର୍ଗତ ଖଲି- ଚଉପତି, କାଗଜ ଚା କପ୍ ମାନ ଡ୍ରେନ ଭିତରେ ପକାଇବାରେ ଲାଗିଛନ୍ତି । ଡ୍ରେନ ଗୁଡିକ ଖୋଲି ବଡ ବଡ କଣା କରି ଆବର୍ଜନା ଗୁଡିକ ପକାଉଥିବା ଦେଖିବାକୁ ମିଳିଛି । ଯାହାଫଳରେ ଉକ୍ତ ଆବର୍ଜନା ପଚି ଦୁର୍ଗନ୍ଧ ବାହାରି ପରିବେଶକୁ ଦୂଷିତ କରୁଛି । ତେଣୁ ଏଥିପ୍ରତି ପୌର କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଉଚିତ୍ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।