ପୁରୀ– ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଶକ୍ତିପୀଠରେ ପାଳନ ହେଉଛି ନବରାତ୍ରୀ । ନବରାତ୍ରିର ଅଷ୍ଟମ ଦିବସରେ ଆଜି ମାତାଙ୍କ ମହାଗୌରୀ ବେଶ ଅନୁଷ୍ଠିତ ହୋଇଛି ।
ବର୍ଣ୍ଣିତ ଅଛି ଯେ, ୧୬ ବର୍ଷ ବୟସ ବେଳକୁ ପ୍ରତିକୂଳ ପରିବେଶରେ କଠିନ ତପସ୍ୟା କରି ଦେବୀଙ୍କ ରଙ୍ଗ ମଳିନ ପଡ଼ିଯାଇଥିଲା । ତପସ୍ୟାରେ ପ୍ରସନ୍ନ ହେବାପରେ ମହାଦେବ ଗଙ୍ଗାଜଳ ଢାଳି ତାଙ୍କୁ ପରିଷ୍କୃତ କରିବାରେ ଅତ୍ୟନ୍ତ ଶୁଭ୍ରକାନ୍ତି ଓ ସୌନ୍ଦର୍ଯ୍ୟମୟୀ ରୂପରେ ଆବିର୍ଭୂତ ହୋଇଥିଲେ ମା । ମା’ଙ୍କ ଏହି ରୂପ ସଂସାରର ସବୁଠୁ ଅଧିକ ଗୌରବର୍ଣ୍ଣ ହୋଇଥିବାରୁ ଦେବୀଙ୍କୁ ମହାଗୌରୀ କୁହାଗଲା । ନବରାତ୍ରିର ଅଷ୍ଟମ ଦିନରେ ମା ମହାଗୌରୀଙ୍କ ଆରାଧନା କରାଯାଏ । ଦେବୀ ରାହୁ ଗ୍ରହକୁ ନିୟନ୍ତ୍ରଣ କରନ୍ତି । ଶୈଳପୁତ୍ରୀଙ୍କ ଭଳି ମହାଗୌରୀ ମଧ୍ୟ ବୃଷାରୂଢା । ଦେବୀ ଚତୁର୍ଭୂଜା । ଦକ୍ଷିଣ ଦୁଇ ହସ୍ତରୁ ଗୋଟିକରେ ତ୍ରିଶୂଳ ଓ ଅନ୍ୟଟି ଅଭୟ ମୁଦ୍ରାରେ ଶୋଭାପାଏ । ବାମପଟ ଏକ ହସ୍ତରେ ଡମ୍ବରୁ ଧାରଣ କରିଥାନ୍ତି ଓ ଅନ୍ୟଟି ବରଦ ମୁଦ୍ରାରେ ଥାଏ । ଅତ୍ୟନ୍ତ ଗୌରବର୍ଣ୍ଣ ଲାଗି ଦେବୀଙ୍କୁ ଶଙ୍ଖ, ଚନ୍ଦ୍ର ଓ କୁନ୍ଦପୁଷ୍ପ ସହିତ ତୁଳନା କରାଯାଏ । ଦେବୀ ଶ୍ଵେତବସ୍ତ୍ର ପରିହିତା ତେଣୁ ଦେବୀଙ୍କୁ ଶ୍ଵେତାମ୍ବରଧରା ମଧ୍ୟ କୁହାଯାଏ । ମାତା ମହାଗୌରୀ ଶାନ୍ତି ଓ ସୌହାର୍ଦ୍ଦ୍ୟ ପ୍ରଦାନ କରିଥାନ୍ତି ।