ବରଗଡ଼– ବରଗଡ଼ର ଗ୍ରାମ୍ୟଦେବୀ ମା ସମଲେଶ୍ଵରୀଙ୍କ ଶାରଦୀୟ ନବ ଦିନାତ୍ମକ ପୂଜା ଜାରି ରହିଛି । ଅକ୍ଟୋବର ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ପୂଜା ଉତ୍ସବ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ମା ସମଲେଶ୍ଵରୀଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରାଯାଉଛି । ଆଜି ଆଶ୍ୱିନ ଶୁକ୍ଳ ଷଷ୍ଠୀ ଯୁକ୍ତ ସପ୍ତମୀରେ ମା ସମଲେଶ୍ଵରୀ ଦେବୀଙ୍କୁ କାଳରାତ୍ରି ବେଶରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରାଯାଉଛି । ଏହି ଅବସରରେ ମାଙ୍କ ଦର୍ଶନ ପାଇଁ ମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଭକ୍ତମାନେ ଯେପରି ସୁବିଧାରେ ମା ଙ୍କ ଦର୍ଶନ କରିପାରିବେ ସେନେଇ ମନ୍ଦିର କମିଟୀ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ସେହିପରି ଅକ୍ଟୋବର ୧୦ ତାରିଖ ଗୁରୁବାର ଆଶ୍ୱିନ ଶୁକ୍ଳ ସପ୍ତମୀ ଯୁକ୍ତ ଅଷ୍ଟମୀ ତିଥିରେ ମା ସମଲେଶ୍ଵରୀ ଭକ୍ତଙ୍କୁ ମହାଗୌରୀ ବେଶରେ ଦର୍ଶନ ଦେବେ ଏବଂ ମହାଷ୍ଟମୀ ବିହିତ ପୂଜା ଅନୁଷ୍ଠିତ ହେବ । ନିଶାର୍ଦ୍ଧ ମଧ୍ୟେ ଅଷ୍ଟମୀ ପଡୁଥିବାରୁ ଏହି ଦିନ ପଶ୍ଚିମ ଓଡିଶାରେ ଭାଇମାନଙ୍କ ଦୀର୍ଘାୟୁ କାମନା କରି ଭଉଣୀ ମାନେ ଭାଇଜୀଉତିଆଁ ଓଷା ପାଳନ କରିବେ । ଅକ୍ଟୋବର ୧୧ ତାରିଖ ଶୁକ୍ରବାର ଆଶ୍ୱିନ ଶୁକ୍ଳ ଅଷ୍ଟମୀଯୁକ୍ତ ନବମୀ ତିଥି ଦିବା ୧୧ଟା ୫୪ ମିନିଟରୁ ସନ୍ଧିପୂଜାରମ୍ଭ ହୋଇ ଦିବା ୧୨ଟା ୪୨ ମିନିଟ ମଧ୍ୟେ ସନ୍ଧିପୂୂଜା ସମାପନ ହେବ । ସନ୍ଧିପୂଜା ପରେ ମହାନବମୀ ବିହିତ ପୂଜାର୍ଚ୍ଚନା, ପୀଠେ ନବକୁମାରୀ ପୂଜନ ଅନୁଷ୍ଠିତ ହେବା ସହ ଗ୍ରାମ୍ୟଦେବୀ ମା ସମଲେଶ୍ଵରୀ ଦେବୀ ସିଦ୍ଧିଧାତ୍ରୀ ବେଶରେ ପୂଜା ପାଇବେ ବୋଲି ପଣ୍ଡିତ ଶିବ ଶଙ୍କର ଦାଶ ଏବଂ ପଣ୍ଡିତ ଚୂଡାମଣି ରଥ ସୂଚନା ଦେଇଛନ୍ତି । ଅକ୍ଟୋବର ୧୨ ତାରିଖ ଶନିବାର ଆଶ୍ୱିନ ଶୁକ୍ଳ ନବମୀଯୁକ୍ତ ଦଶମୀ ଅବସରରେ ଦିବା ୧୨ ଟା ୧୨ ମିନିଟରୁ ଦେବୀଙ୍କ ବିଜୟାଦଶମୀ ବିହିତ ପୂଜାର୍ଚ୍ଚନା, ଚଣ୍ଡୀହୋମ ଆରମ୍ଭ, ଅପରାହ୍ନ ୩ ଟା ୫୯ ମିନିଟରେ ପୂର୍ଣ୍ଣାହୁତୀ ତଥା ଅପରାଜିତା ପୂଜନ, ଆର୍ଶୀବାଦ ପ୍ରଦାନ କରାଯିବ । ଏହି ଦିନ ଗ୍ରାମ୍ୟଦେବୀ ମା ସମଲେଶ୍ଵରୀଙ୍କୁ ଅନ୍ନପୂର୍ଣ୍ଣା ବେଶରେ ସଜ୍ଜିତ କରାଯିବ । ସେହିପରି ଅକ୍ଟୋବର ୧୭ ତାରିଖ ଗୁରୁବାର କୁମାର ପୂର୍ଣ୍ଣିମା ଅବସରରେ ମା ସମଲେଶ୍ଵରୀ ଦେବୀଙ୍କ ରାଜ ରାଜେଶ୍ଵରୀ ବେଶ ଏବଂ ରାତ୍ରରେ ବଇଲପର୍ବ ଅନୁଷ୍ଠିତ ହେବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ କମିଟୀ ତରଫରୁ ସୂଚନା ଦିଆଯାଇଛି । ମା ସମଲେଶ୍ଵରୀଙ୍କ ଶାରଦୀୟ ନବରାତ୍ର ପୂଜା ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯିବା ସହ ମନ୍ଦିର ସମେତ ସଂଯୋଗ କରୁଥିବା ରାସ୍ତାକୁ ଉଜ୍ୱଳ ଆଲୋକ ତଥା ବିଭିନ୍ନ ପ୍ରକାର ଫୁଲରେ ସଜ୍ଜିତ କରାଯାଇଛି ।
ପ୍ରକାଶ ଥାଉକି, ଅକ୍ଟୋବର ୨ ତାରିଖ ଆଶ୍ୱିନ ଆମାବାସ୍ୟା ତିଥିରେ ମା ସମଲେଶ୍ଵରୀ ଭକ୍ତମାନଙ୍କୁ ଧବଳମୁଖୀ ବେଶ ବା ଗଙ୍ଗା ବେଶରେ ଦର୍ଶନ ଦେଇଥିଲେ । ୩ ତାରିଖରେ ମାଙ୍କ ଶୈଳପୁତ୍ରୀ ବେଶ, ୪ ତାରିଖରେ ବ୍ରହ୍ମଚାରିଣୀ ବେଶ, ୫ ତାରିଖରେ ମା ସମଲେଶ୍ଵରୀଙ୍କ ଚନ୍ଦ୍ରଘଣ୍ଟା ବେଶ, ୬ ତାରିଖରେ ମାଙ୍କ କୁଷ୍ମାଣ୍ଡା ବେଶ, ୭ ତାରିଖରେ ସ୍କନ୍ଧମାତା ବେଶ, ୮ ତାରିଖରେ ମା ସମଲେଶ୍ଵରୀ କାତ୍ୟାୟନୀ ବେଶ ଅନୁଷ୍ଠିତ ହୋଇଥିଲା ।