ଭୁବନେଶ୍ୱର– ନିଯୁକ୍ତି ମେଳାରେ ନବ ନିଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନସନ ହଲରେ 282 ଜଣ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଶକ୍ତି, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଓଡ଼ିଶା ଖଣି ନିଗମରେ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଖଣି ମନ୍ତ୍ରୀ ବିଭୂତି ଜେନା ଉପସ୍ଥିତ ଅଛନ୍ତି । ଏହାସହ ସଚିବ ଓ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଯୋଗ ଦେଇଛନ୍ତି ।
ଏହି ଅବସରରେ ନବ ନିଯୁକ୍ତ ପ୍ରାର୍ଥୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 24 ବର୍ଷ ପରେ ନୂଆ ସରକାର ଆସିଛି । ନୂଆ ସରକାର ଘୋଷଣା ପତ୍ରରେ ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲା । ଯଦି ସରକାର ଆସିବ ତାହେଲେ ଖାଲି ଥିବା ପଦବୀ ଗୁଡିକରୁ ଦେଢ଼ ଲକ୍ଷ ପଦବୀ ପୂରଣ କରାଯିବ । ଉଦ୍ୟୋଗ କ୍ଷେତ୍ରରେ ସାଢ଼େ 3 ଲକ୍ଷ ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ । ଆମ ସରକାର ପ୍ରତିଶ୍ରୁତିବଦ୍ଧ । ନିଯୁକ୍ତି ଦେବାର ପ୍ରକ୍ରିୟା ଚାଲିଛି । ଆମ ସରକାର ଲୋକଙ୍କ ସରକାର । ସମାଜର ସବୁ ବର୍ଗଙ୍କୁ ପ୍ରଧ୍ୟାନ୍ୟ ଦେଇ ନିଯୁକ୍ତି ଦିଆଯାଉଛି । ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ, ମହିଳା, ଦିବ୍ୟାଙ୍ଗ, ଅବସର ପ୍ରାପ୍ତ ସେନା ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । 282 ଜଣଙ୍କୁ ବିଭିନ୍ନ ବିଭାଗରେ ନିଯୁକ୍ତି ଦେଇଛନ୍ତି ସରକାର । ଶକ୍ତି ବିଭାଗରେ 79 ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀ, ସ୍ୱାସ୍ଥ୍ୟ ବିଭାଗରେ 104, ଖଣି ନିଗମରେ 99 ଜଣ ନିଯୁକ୍ତି ପାଇଛନ୍ତି । ପୂର୍ବ ବିଜେଡ଼ି ସରକାର ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରୁନଥିଲେ । ଯେଉଁଥିପାଇଁ ରୋଗୀ ମାନେ ଆର୍ଥିକ ଅଭାବ କାରଣରୁ କଷ୍ଟ ପାଉଥିଲେ । କିନ୍ତୁ ଆମ ସରକାର ଆୟୁଷ୍ମାନ ଯୋଜନା ଲାଗୁ କରି ଲୋକଙ୍କ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବେ ।ସ୍ବାସ୍ଥ୍ୟ ବିଭାଗ ପାଇଁ ସମୁଦାୟ ବଜେଟର 8 ପ୍ରତିଶତ ବ୍ୟୟ ବରାଦ କରାଯାଇଛି । 2036 ବେଳକୁ ଓଡ଼ିଶା ସ୍ଵତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଭାବେ ଶତ ବାର୍ଷିକୀ ପାଳନ କରିବ । ସେତେବେଳକୁ ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ କାମ କରୁଛନ୍ତି ସରକାର ।
100 ଦିନ ସରକାରର ଆଭିମୁଖ୍ୟ ନୂଆ ଓଡ଼ିଶା, ସମୃଦ୍ଧ ଓଡିଶା ଗଠନ । ଦୁର୍ନୀତି ବିରୋଧରେ କଡ଼ା ଆଭିମୁଖ୍ୟ । ସହକାରୀ ନିର୍ବାହୀ ଯନ୍ତ୍ରୀ ମାନେ ଆଜି ନିଯୁକ୍ତି ପାଇଛନ୍ତି । ଲୋକଙ୍କ ଭିତରେ ଧାରଣା ଯନ୍ତ୍ରୀ ମାନଙ୍କର ଗୋଟିଏ ଛବି ତିଆରି ହୋଇଛି । ତେଣୁ ଏହି ଛବି ସୁଧାରିବା ପାଇଁ ଲୋକଙ୍କ ସେବା କରିବା ସହ ପରିଶ୍ରମ କରିବେ ବୋଲି ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ।ସଚଟ୍ଟୋତାର ସହ କାମ କରିବାକୁ ଦେଲେ ପରାମର୍ଶ । ମାଲକାନଗିରି ଭଳି ମାଓ ଅଞ୍ଚଳରେ ନିର୍ଭୟ ହୋଇ କାମ କରନ୍ତୁ । ଭୟ କରନ୍ତୁ ନାହିଁ । 2026 ସୁଦ୍ଧା ମାଓବାଦୀ ମାନଙ୍କୁ ସମ୍ପୂର୍ଣ ଭାବେ ନିପାତ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ।
ସେହିପରି ନବ ନିଯୁକ୍ତଙ୍କୁ ପରାମର୍ଶ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ନିଷ୍ଠାର ସହ କାମ କଲେ ଲୋକ ଭଲ ପାଇବେ । ଯେତେ କଠିନ ପରିସ୍ଥିତି ହେଲେ ବି ତାକୁ ସାମ୍ନା କରନ୍ତୁ । ନିରାଶ ହେବେ ନାହିଁ, ଠିକ୍ ଭାବେ କାମ କଲେ ସଫଳତା ମିଳିବ । ସବୁ ନବ ନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ।
ନିଯୁକ୍ତି ପର୍ବରେ ନବ ନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ପରାମର୍ଶ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କଲମ ଧରିବା ଶିଖାଇଥିବା ଶିକ୍ଷକଙ୍କୁ କେବେ ଭୁଲିବେ ନାହିଁ ବୋଲି ସେ କହିଛନ୍ତି ।
ଏହି ଅବସରରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ବିଧାନସଭାରେ ଏବଂ ଲୋକଙ୍କ ପକ୍ଷରେ ଯାହା ପ୍ରତିଶ୍ରୁତି ଦେଇଥିଲୁ ସେଥିପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ଚଳିତ ଥର ବଜେଟରେ ସ୍ୱାସ୍ଥ୍ୟ ବିଭାଗକୁ 20 ହାଜର କୋଟି ବ୍ୟୟ ବରାଦ କରାଯାଇଛି । ଯାହାକି ଗତ ବର୍ଷ ତୁଳନାରେ 32 ପ୍ରତିଶତ ଅଧିକ । ଏହି ନିଯୁକ୍ତି ମେଳାରେ ସ୍ବାସ୍ଥ୍ୟ ବିଭାଗରେ 31 ଜଣ ଜୁନିଅର କ୍ଲର୍କ, 19 ଜଣ ଆୟୁର୍ବେଦିକ ଅଧ୍ୟାପକ, 54 ଜଣ କନିଷ୍ଠ ସହାୟକ ନିଯୁକ୍ତି ପତ୍ର ପାଇଛନ୍ତି । ଆଗାମୀ ଦିନରେ 3 ହାଜର ଡାକ୍ତର ଏବଂ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ଦିଆଯିବ । ସ୍ବଚ୍ଛତା ଓ ନିଷ୍ଠାପର ହୋଇ କାମ କରିବା ପାଇଁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ।
ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଯେ, କଥା ଦେଇ କଥା ରଖିଛନ୍ତି ବିଜେପି ସରକାର । ଏହି ନିଯୁକ୍ତି ମେଳା ତାର ପ୍ରମାଣ । ଖଣି ବିଭାଗରେ 99 ଜଣ ନିଯୁକ୍ତି ପାଇଛନ୍ତି । 19 ଜଣ ଜୁନିଅର ମେକାନିକାଲ ଇଞ୍ଜିନିୟର, 14 ଜଣ ଜୁନିଅର ଇଲେକ୍ଟ୍ରିକାଲ ଇଞ୍ଜିନିୟର, 16 ଜଣ ଜୁନିୟର ସିଭିଲ ଇଞ୍ଜିନିୟର, 11 ଜଣ ଜୁନିୟର ନର୍ସ, 9 ଜଣ ଜୁନିୟର ଫାର୍ମାସିଷ୍ଟ, 30 ଜଣ ଇଲେକ୍ଟ୍ରିସିଆନ ନିଯୁକ୍ତି ପାରିଛନ୍ତି । 5 ବର୍ଷରେ 2 ଲକ୍ଷ ନିଯୁକ୍ତି ଦିଆଯିବ ।