ପୁରୀ- ପୁରୀ ଜିଲ୍ଲା ପିପିଲି କଂଟି ନିକଟ ଦୟାନଦୀରେ ଏକ କୁମ୍ଭୀର ଦେଖିବାକୁ ମିଳିଛି । ଏହା ଘଡ଼ିଆଳ କିମ୍ବା ଥଂଟିଆ କୁମ୍ଭୀର ବୋଲି ଅନୁମାନ କରାଯାଉଛି । କଂଟି କାକୁଡ଼ିଆ ପୋଲ ନିକଟ ନଦୀ ପାଣିରେ ଏହି କୁମ୍ଭୀରଟିକୁ ଆଜି ସକାଳେ ଦେଖିବା ପରେ ସ୍ଥାନୀୟ ଲୋକେ ଭୟଭିତ ହୋଇପଡିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ନଦୀରେ କୁମ୍ଭୀର ଦେଖିବାକୁ ସେଠାରେ ଲୋକଙ୍କ ଭିଡ଼ ଜମିଛି । ଏହାପରେ କୁମ୍ଭୀରଟି ଦୟାନଦୀରେ କଣାସ ଅଭିମୁଖେ ଯାଉଥିବା ଦେଖିବାକୁ ମିଳିଛି ।
ତେବେ ନଦୀ ଭିତରକୁ କେହି ନଯିବା ପାଇଁ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇଛି । ଲୋକମାନେ ଯେପରି ନଦୀ କୂଳକୁ ନଯିବେ ଏବଂ ଯେଉଁମାନେ ନଦୀରୁ ମାଛ ଧରୁଛନ୍ତି ସେମାନେ କିଭଳି ସତର୍କତା ଅବଲମ୍ବନ କରିବେ ସେନେଇ ସଚେତନ କରାଯାଇଛି । କୁମ୍ଭୀରଟି ବନ୍ୟା ପାଣିରେ ଭାସି ଆସିଥିବା ଅନୁମାନ କରାଯାଉଛି । ଖବର ପାଇ ଖୋର୍ଦ୍ଧା ବନାଚଂଳ କର୍ମଚାରୀ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । କୁମ୍ଭୀରର ଗତିପଥ ଉପରେ ଲକ୍ଷ୍ୟ ରଖିଛନ୍ତି।