ପୁରୀ– ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଶକ୍ତିପୀଠ ମାନଙ୍କରେ ମା ଦୂର୍ଗାଙ୍କ ନବରାତ୍ର ପୂଜା ଅନୁଷ୍ଠିତ ହେଉଛି । ନବରାତ୍ରିର ଚତୁର୍ଥ ଦିବସରେ ଆଜି ମା ଦୁର୍ଗାଙ୍କ କୁଷ୍ମାଣ୍ଡା ବେଶ ଅନୁଷ୍ଠିତ ହୋଇଛି । ଚତୁର୍ଥ ଦୁର୍ଗାଙ୍କର ନାମ କୁଷ୍ମାଣ୍ଡା ଅଟେ । ଈଷତ୍ ହାସ୍ୟ ମୁଖରେ ଅଣ୍ଡକୁ ଅର୍ଥାତ୍ ବ୍ରହ୍ମାଣ୍ଡକୁ ସିଏ ଉତ୍ପନ୍ନ କରିଛନ୍ତି ସେହି ଶକ୍ତିକୁ କୁଷ୍ମାଣ୍ଡା କୁହାଯାଏ । ସେ ସୂର୍ଯ୍ୟ ମଣ୍ଡଳ ଭିତରେ ନିବାସ କରନ୍ତି । ତାଙ୍କର ସୂର୍ଯ୍ୟ ତୁଲ୍ୟ ତେଜର ଝଲକ ଦଶଦିଗକୁ ବ୍ୟାପ୍ତ କରୁଥାଏ । ସେ ଅଷ୍ଟଭୂଜା । ସାତ ହାତରେ ସାତ ପ୍ରକାର ଅସ୍ତ୍ର ଚମକପ୍ରଦ ଅଟେ । ମା’ ଙ୍କର ସାତ ହସ୍ତରେ କମଣ୍ଡଳୁ, ଧନୁଷ, ବାଣ, ପଦ୍ମ, ଅମୃତ କଳସ, ଚକ୍ର, ଗଦା ଏବଂ ଅଷ୍ଟମ ହସ୍ତରେ ସମସ୍ତ ସିଦ୍ଧି ଓ ନିଧି ପ୍ରଦାନକାରୀ ଜପ ମାଳା ରହିଛି । କୁଷ୍ମାଣ୍ଡ (ପାଣିକଖାରୁ) ବଳି ତାଙ୍କର ଅତି ପ୍ରିୟ ଅଟେ । ତେଣୁ ଏହି ଶକ୍ତିଙ୍କର ନାମ ‘କୁଷ୍ମାଣ୍ଡା’ ରଖାଯାଇଛି । ଏହି ଶକ୍ତି ବିଶ୍ଵ ପ୍ରସିଦ୍ଧ ଅଟେ । ଏହି ବ୍ୟାଖ୍ୟା ରୁଦ୍ରଯାମଳ ତନ୍ତ୍ର ଏବଂ କୁଞ୍ଜି କାଗମ ତନ୍ତ୍ରରେ ଲେଖାଅଛି । ମା କୁଷ୍ମାଣ୍ଡାଙ୍କର ଉପାସନା କଲେ ଭକ୍ତର ସମସ୍ତ ରୋଗ, ଶୋକ ଆଦି ଦୂର ହୋଇଥାଏ । ମା’ ଙ୍କର ଉପାସନା କଲେ ଆୟୁ, ଯଶ, ବଳ ଓ ଆରୋଗ୍ୟ ଲାଭ ହୋଇଥାଏ ।