ଭୁବନେଶ୍ୱର– ଖୋର୍ଦ୍ଧାରୁ ଚୋରି ମୂର୍ତ୍ତି ଜଗତସିଂହପୁର ଅଞ୍ଚଳରୁ ଉଦ୍ଧାର କରିଲା ପୋଲିସ। ଜଗତସିଂହପୁର ସଦର ଥାନା ପୋଲିସ ସହାୟତାରେ ଖୋର୍ଦ୍ଧା ପୋଲିସ ଜଗତସିଂହପୁର ବ୍ଲକ୍ ତୁମ୍ବା ଅଣ୍ଡେଇ ସାହି ଚଢ଼େଇ ଗ୍ରାମରୁ ଚୋରି ହୋଇଥିବା ମୂଲ୍ୟବାନ ମୂର୍ତ୍ତି ଉଦ୍ଧାର କରିଛି। ଏଥିରେ ସଂପୃକ୍ତ ଥିବା ଦୁଇ ଅଭିଯୁକ୍ତ ହେଲେ ବରଦା ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ଭାଇ ଅନନ୍ତ ପ୍ରସନ ଆଚାର୍ଯ୍ୟ। ଏନେଇ ଜଗତସିଂହପୁର ଆରକ୍ଷୀ ଅଧିକାରୀ ଭବାନୀ ଶଙ୍କର ଉଦଗାଦା ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ।
ଖୋର୍ଦ୍ଧା ଜିଲ୍ଲା ବାଲି ପାଟଣା ଅଞ୍ଚଳରେ ଏକ ମନ୍ଦିରରୁ ଚୋରି କରୁଥିବା ବେଳେ ବରଦା ପ୍ରସନ୍ନ ଆଚାର୍ଯ୍ୟ ପୋଲିସ କବଜାରେ ଧରା ପଡ଼ିବା ପରେ ଅନନ୍ତ ପ୍ରସନ୍ନ ଆଚାର୍ଯ୍ୟ ଖସି ପଳାଇ ଯାଇଥିଲେ। ପୋଲିସ ଅନନ୍ତ ଫୋନ ଟ୍ରାକ କରି ନିଆଳି ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଥିଲା। ଉଭୟଙ୍କୁ ପଚରା ଉଚରା କରିବା ପରେ ତାଙ୍କ ଘର ଜଗତସିଂହପୁର ସଦର ଥାନା ଅଂଚଳର ବୋଲି ଜଣାପଡିଥିଲା। ଖୋର୍ଦ୍ଧା ପୋଲିସ ଜଗତସିଂହପୁର ସଦର ପୋଲିସ ସହାୟତାରେ ଚଢ଼େଇ ଗାଁ ବାସଭବନ ସ୍ଥିତ ଘରେ ଚଢ଼ାଉ କରି ମାଟି ତଳୁ ମୂଲ୍ୟବାନ ମୂର୍ତ୍ତି ସମେତ ବହୁ ସାମଗ୍ରୀ ବାହାରିଥିଲା। ସମସ୍ତ ସାମଗ୍ରୀକୁ ଜବତ କରିଛି ପୋଲିସ। ପରେ ବରଦା ଓ ତାଙ୍କ ମାଆକୁ ଥାନାକୁ ଆଣି ପଚରାଉଚରା ଜାରି ରଖିଛି। ଉକ୍ତ ଘଟଣାରେ ଆଉ ଜଣେ ସଂପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି।