-
ବିଜେପି ଉପରେ ସବୁ ବର୍ଗର ଲୋକଙ୍କ ଭରସା ବଢୁଛି – ଧର୍ମେନ୍ଦ୍ର ପ୍ରଧାନ
-
ବୁଦ୍ଧ ଜୟନ୍ତୀ ପାର୍କରେ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଅଧୀନରେ ବୃକ୍ଷରୋପଣ କଲେ
-
ଚନ୍ଦ୍ରଶେଖରପୁର ମଙ୍ଗଳା ବସ୍ତିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟରେ ସାମିଲ ହେଲେ
-
ସ୍ୱଚ୍ଛତାକୁ ନିଜ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବା
-
ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ସାଥୀରେ ଚା’ ପିଇଲେ କେନ୍ଦ୍ରମନ୍ତ୍ରୀ
-
ସ୍ୱଚ୍ଛତା ପୂଜ୍ୟ ବାପୁଙ୍କ ପ୍ରିୟ ବିଷୟ ଥିଲା, ଏହାକୁ ମୋଦୀ ଜନଆନ୍ଦୋଳନରେ ପରିଣତ କରିଛନ୍ତି
-
ନିରନ୍ତର ଭାବେ ଦଳକୁ ମଜଭୂତ୍ ଓ ସକ୍ରିୟ କରାଇବା ପାଇଁ କଲେ
ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶାର ବୀର ସନ୍ତାନ ବାଜି ରାଉତଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ବିଏମସି ପକ୍ଷରୁ ଆୟୋଜିତ ପୃଥକ ପୃଥକ କାର୍ଯ୍ୟକ୍ରମରେ ବୃକ୍ଷରୋପଣ କରିବା ସହ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହା ସହ ଭୁବନେଶ୍ୱର ଠାରେ ଆମ ଦଳର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇ ଅନେକ ନାଗରିକ ଓ କାର୍ଯ୍ୟକର୍ତ୍ତାଙ୍କୁ ଅନଲାଇନ ମାଧ୍ୟମରେ ସଦସ୍ୟତା କରାଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ପ୍ରଥମେ ଭୁବନେଶ୍ୱର ସ୍ଥିତ ବୁଦ୍ଧ ଜୟନ୍ତୀ ପାର୍କରେ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଅଧୀନରେ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ସେ କହିଛନ୍ତି ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଚିନ୍ତାର ବିଷୟ ହୋଇଛି । ଏହି ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ ଜନସାଧାରଣ ଏବଂ ସ୍ୱେଚ୍ଛାସେବୀ ସଂଗଠନ ଗଛ ଲଗାଇବା ଖୁସିର ବିଷୟ । ଆମର ପରିବେଶକୁ ଅଧିକ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ଗୋଟିଏ ଗୋଟିଏ ଗଛ ଲଗାଇବା ସହ ତାହାର ଯତ୍ନ ନେବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।
ଏହା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ମଙ୍ଗଳା ବସ୍ତିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟରେ ସାମିଲ ହୋଇଥିଲେ । ବିଏମସିର ଅନେକ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ସାଥୀରେ ଚା’ ପିଇଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ ଅହିଂସାର ପୂଜାରୀ ପୂଜ୍ୟ ବାପୁଙ୍କ ପ୍ରିୟ ବିଷୟ ଥିଲା ‘ସ୍ୱଚ୍ଛତା’। ଏହି ସ୍ୱଚ୍ଛତା ଅଭିଯାନକୁ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଏକ ଜନଆନ୍ଦୋଳନରେ ପରିଣତ କରିଛନ୍ତି । ବର୍ତ୍ତମାନ ସମୟରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କେବଳ ସରକାରୀ ବ୍ୟବସ୍ଥା ଭିତରେ ସୀମିତ ହୋଇ ରହିନାହିଁ । ସ୍ୱଚ୍ଛ ଭାରତ ମିଶନର ୧୦ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଏଥିରେ ଆବାଳବୃଦ୍ଧବନିତା ଏବଂ ଆମ ଦଳର କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇ ସ୍ୱଚ୍ଛତା ଶ୍ରମଦାନ କରିଛନ୍ତି, ଯାହା ପୂଜ୍ୟ ବାପୁଙ୍କୁ ଉଚିତ୍ ଶ୍ରଦ୍ଧାଞ୍ଜଳି ହୋଇଛି । ଦେଶରେ ସ୍ୱଚ୍ଛତାକୁ ଆଗକୁ ନେବା ପାଇଁ ସମସ୍ତେ ଏକମତ ହୋଇଛନ୍ତି । ସ୍ୱଚ୍ଛତାକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ପାଇଁ ସମସ୍ତେ ସଂକଳ୍ପ ନେବା । ଆମମାନଙ୍କ ମିଳିତ ପ୍ରୟାସରେ ହିଁ ମନ୍ଦିର ମାଳିନୀ ସହର ଭୁବନେଶ୍ୱର ଏବଂ ଆମ ରାଜ୍ୟ ଆହୁରି ସରସ ସୁନ୍ଦର ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ସେହିପରି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବିଜେପି ଉପରେ ଗରିବ, ମହିଳା, ଚାଷୀ ଯୁବଶକ୍ତିଙ୍କ ସମେତ ସବୁ ବର୍ଗର ଲୋକଙ୍କ ମଧ୍ୟରେ ଭରସା ବଢୁଛି, ସେଥିପାଇଁ ଅଧିକରୁ ଅଧିକ ଯୁବାବର୍ଗ ପାର୍ଟିର ସଦସ୍ୟ ହେଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏହି ସଦସ୍ୟତା ଅଭିଯାନରେ ଯୋଡିହେବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତା ଓ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି । ୮୮୦୦୦୦୨୦୨୪ ନମ୍ୱରରେ ମିସଡ୍ କଲ୍ କରି କିମ୍ବା ନମୋ ଆପ୍ ମାଧ୍ୟମରେ ଲୋକମାନେ ବିଜେପି ପରିବାରର ସଦସ୍ୟ ହୋଇପାରିବେ । ଆମ ଦଳ ବିଶ୍ୱର ସବୁଠୁ ରାଜନୈତିକ ଦଳ ଭାବେ ଉଭା ହୋଇଛି । ଜନଆଶୀର୍ବାଦ କାରଣରୁ ରାଜ୍ୟରେ ବିଜେପିର ସରକାର ଗଠନ ହୋଇଛି । ଆମେ କେବଳ ସରକାର ନହେଁ ବରଂ ସେବାର ଗୋଟେ ଦାୟିତ୍ୱ ଓ ଭୂମିକାରେ ଅବତୀର୍ଣ୍ଣ ହୋଇଛୁ । ଏହି ସମୟରେ ନିରନ୍ତର ଭାବେ ଦଳକୁ ମଜଭୂତ୍ ଓ ସକ୍ରିୟ କରାଇବା ପାଇଁ ପଡିବ । ଆମର ସାମର୍ଥ୍ୟ ଶକ୍ତିକୁ ଆହୁରି ବଢାଇବା ପାଇଁ ପଡିବ । ସାଢେ ୪ କୋଟି ଓଡ଼ିଆଙ୍କ ସେବା କରିବା ଦିଗରେ ଆମେ ସମସ୍ତେ କାର୍ଯ୍ୟକର୍ତ୍ତାମାନେ କାମ କରିବା । ବିଜେପି ପକ୍ଷରୁ ୧ କୋଟି ସଦସ୍ୟତା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଅଭିଯାନ ସଫଳ ହେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।