ଭୁବନେଶ୍ଵର– ଶକ୍ତି ସୁରୂପିଣୀ ମା ଦୁର୍ଗାଙ୍କ ନବଦିନାତ୍ମକ ପୂଜା ଆଜିଠୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଆଜି ମାଙ୍କ ଶୈଳପୁତ୍ରୀ ବେଶ । ଦକ୍ଷ ଯଜ୍ଞରେ ଆହୁତି ଦେଇ ଦେବୀ ସତୀଙ୍କ ପ୍ରୟାଣ ପରେ ପୁନଶ୍ଚ ସେ ଶୈଳରାଜ ହିମାଳୟଙ୍କ କନ୍ୟା ରୂପେ ଜନ୍ମ ହୋଇଥିଲେ । ତେଣୁ ଦେବୀଙ୍କ ଏହି ରୂପକୁ ହେମାବତୀ ଓ ଶୈଳବତୀ ବୋଲି କୁହାଯାଏ ।ନବରାତ୍ରିର ପ୍ରଥମ ଦିନ ମା ଶୈଳପୁତ୍ରୀଙ୍କୁ ପୂଜା କରାଯାଏ । ଗ୍ରହମାନଙ୍କ ମଧ୍ୟରେ ଚନ୍ଦ୍ର ଦେବୀଙ୍କ ଦ୍ୱାରା ପ୍ରଭାବିତ ବୋଲି ମାନ୍ୟତା ରହିଛି ।
ଶହସ୍ର ସୂର୍ଯ୍ୟର ତେଜ ଧାରିଣୀ ମା ସମସ୍ତ ମହାଜାଗତିକ ଶକ୍ତିର ପ୍ରତିମା ଓ ଅଭୟ ବରଦାୟିନୀ । ଦେବୀ ଦ୍ଵିଭୁଜା, ଦକ୍ଷିଣ ହସ୍ତରେ ତ୍ରିଶୂଳ ଏବଂ ବାମ ହସ୍ତରେ ପଦ୍ମପୁଷ୍ପ ଧାରଣ କରିଥାନ୍ତି ଓ ମସ୍ତକରେ ଅର୍ଦ୍ଧଚନ୍ଦ୍ର ଶୋଭାପାଏ । ବୃଷଭ ବାହନ ଯୋଗୁଁ ତାଙ୍କୁ ବୃଷାରୂଢା ବୋଲି ମଧ୍ୟ କୁହାଯାଏ । ଚନ୍ଦ୍ର ଦେବୀଙ୍କ ଦ୍ଵାରା ପ୍ରଭାବିତ ହେଉଥିବାରୁ ମା ଶୈଳପୁତ୍ରୀ ସାଧକମାନଙ୍କ ଚନ୍ଦ୍ରଦଶା ଖଣ୍ଡନ କରିଥାନ୍ତି ।