ଭୁବନେଶ୍ୱର– ଓଡ଼ିଆ ପ୍ରେନୁଅର ସ୍ମାର୍ଟ ଓଡିଶା ହାକାଥନ୍ ୨.୦ ରାଜ୍ୟ ସ୍ତରୀୟ ସମାରୋହ ଉଦଯାପିତ ହୋଇଛି । ଭୁବନେଶ୍ୱରସ୍ଥିତ ଓଡିଶା ବୈଷୟିକ ଓ ଗବେଷଣା ବିଶ୍ଵ ବିଦ୍ୟାଳୟ ପରିସରରେ ଗତ ଦୁଇଦିନ ଧରି ଏହି ହାକଥନ ଅନୁଷ୍ଠିତ ହୋଇଥିଲା । ଆଜିର କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଘୁରାମ ଆୟର, ଶ୍ରୀ ଅଶ୍ୱିନୀ କୁମାର ମିଶ୍ର, ଚେୟାରମେନ କାଉନସିଲ, ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ, ଓଡିଶା ବୈଷୟିକ ଓ ଗବେଷଣା ବିଶ୍ଵ ବିଦ୍ୟାଳୟ କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ଵାଳ, କୁଳସଚିବ ଶ୍ରୀମତି ରେଣୁ ପ୍ରଭା ନାୟକ ଏବଂ ଇଡି ଟେକ୍ କୋଫାଉଣ୍ଡର୍ ଶ୍ରୀ ସୁମିତ ମିଶ୍ର ଉପସ୍ଥିତ ରହିଥିଲେ।
ଶ୍ରୀ ଆୟର ଏହାକୁ ସରକାରଙ୍କ ଏକ ଅଭିନବ ପ୍ରୟାସ ବୋଲି ବର୍ଣ୍ଣନା କରି ସମସ୍ତ ପ୍ରତିଯୋଗୀଙ୍କୁ ଅଭିବାଦନ ଜଣାଇବା ସହ ଓଡିଶା ସରକାରଙ୍କ ଦ୍ଵାରା ହେଉଥିବା ସୁରଭି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଶ୍ରୀ ସୁମିତ ମିଶ୍ର ରାଜ୍ୟର ଭବିଷ୍ୟତର ଉପରେ ଆଲୋକପାତ କରି ଏଭଳି କାର୍ଯ୍ୟକ୍ରମ କିପରି ଏହାର ଭବିଷ୍ୟତକୁ ଜାତୀୟ ସ୍ତରରେ ଗଠନ କରିପାରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଛନ୍ତି, “ଓଡିଶାର ବିକାଶ ଚକ୍ର ବର୍ତ୍ତମାନ ଆରମ୍ଭ ହୋଇଛି। ଉଦ୍ୟୋଗ ଉପରେ ସଠିକ୍ ଧ୍ୟାନ ଦେଇ ଆମେ ଆମ ରାଜ୍ୟ ତଥା ଏହାର ପ୍ରତିଭାକୁ ଅଧିକ ଉଚ୍ଚତାକୁ ନେଇପାରିବା।” ସମ୍ମାନିତ ଅତିଥି ଅଶ୍ୱିନୀ କୁମାର ମିଶ୍ର ସମସ୍ତ ଅଂଶଗ୍ରହଣକାରୀ, ପରାମର୍ଶଦାତା ଏବଂ ଆୟୋଜକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନବସୃଜନ ଏବଂ ଦଳଗତ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇ ସେ ନିଜକୁ ଉନ୍ନତ କରିବାକୁ ନିରନ୍ତର ପ୍ରୟାସ କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ଅନୁରୋଧ କରିଥିଲେ। ସେ କହିଛନ୍ତି ଯେ “ହାକାଥନ୍ କେବଳ ପ୍ରତିଯୋଗିତା ନୁହେଁ ବରଂ ଏକ ଗୋଷ୍ଠୀ ପ୍ରୟାସ ଯେଉଁଠାରେ ସୃଜନଶୀଳ ସମାଧାନ ସହଯୋଗରୁ ଜନ୍ମ ହୋଇଥାଏ। ଏହା ପରସ୍ପରଠାରୁ ଶିଖିବା ଏବଂ ବାସ୍ତବ ସମସ୍ୟାର ଅଭିନବ ସମାଧାନ ଖୋଜିବା ବିଷୟରେ।”
କୁଳପତି ପ୍ରଫେସର୍ ବିଶ୍ଵାଳ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଶିକ୍ଷା ଉପରେ ଧ୍ୟାନ ରଖିବା ସହିତ ସେମାନଙ୍କର ଆବେଗକୁ ପୋଷଣ କରିବା ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଶିକ୍ଷା ହେଉଛି ସେଇ ମୂଳଦୁଆ ଯାହା ଉପରେ ଭବିଷ୍ୟତ ଗଠନ କରିହେବ ଏବଂ ସ୍ୱପ୍ନକୁ ଇନ୍ଧନ ଦେବା ପାଇଁ ଏହାକୁ ଚତୁରତାର ସହ ବ୍ୟବହାର କରି ହେବ।
ଉତ୍ସବରେ ବିଜେତା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ସମସ୍ତ ରାଜ୍ୟର ୩୦ ଟି ଜିଲ୍ଲା ରୁ ୧୨୬ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରଥମ ସ୍ଥାନ ରେ ଆକାଂକ୍ଷା ପ୍ରିୟଦର୍ଶିନୀ ମଲ୍ଲିକ , ମାନ୍ୟତା ଖମାରୀ, ମୌସୁମୀ ପାଣିଗ୍ରାହୀ (ଓ. ଏ. ଭି ,ଝରଗ୍ରାହି, ନୂଆପଡ଼ା) ୫୦,୦୦୦ ଟଙ୍କାର ପୁରସ୍କାର ରାଶି ପାଇଥିଲେ। ସେହିଭଳି ଦ୍ଵିତୀୟ ସ୍ଥାନ ରେ ସୀମା ମହାକୁଲ, ଶିଖା ପାତ୍ର, ନବୀନ ମହକୁଲ(ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, କେଦୋପଡା, ଦେଓଗଡ଼) ୩୦,୦୦୦ ଟଙ୍କା ଏବଂ ତୃତୀୟ ସ୍ଥାନରେ ତପସ୍ଵିନୀ ସାହୁ (ଶ୍ରୀ ଚନ୍ଦ୍ରଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବେନ୍ତଳ , ଅନୁଗୁଳ)୧୦,୦୦୦ ଟଙ୍କା ପ୍ରାପ୍ତ କରିଥିଲେ। ଏଥି ସହ ୫ ଟି ପ୍ରତିଯୋଗୀ ଦଳଙ୍କୁ ସାନ୍ତ୍ଵନା ପୁରସ୍କାର ସ୍ୱରୂପ ପ୍ରତ୍ୟେକଙ୍କୁ ୫୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରା ଯାଇଥିଲା। ପରି ଶେଷରେ ବିଶ୍ଵ ବିଦ୍ୟାଳୟର ରେଜିଷ୍ଟ୍ରାର ଶ୍ରୀମତୀ ରେଣୁପ୍ରଭା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉଦଯାପନୀ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।