ବଲାଙ୍ଗିର– ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ- ୨୦୨୪ ପାଳନ ହୋଇଯାଇଛି I ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଘାଷିରାମ ମିଶ୍ର, ଗୁରୁବକ୍ସ ସିଂ ଯାଗୋଟା, ବିକ୍ରମ ବହିଦାର, ବସନ୍ତ ଆଚାର୍ଯ୍ୟ ଅତିଥି ଭାବେ ଯୋଗ ଦେଇଥିଲେ I
ଏହି କାର୍ଯ୍ୟକ୍ରମରେ ଯୋଗ ଗୁରୁ ଡିଙ୍ଗର ରାଉତଙ୍କ ଦ୍ବାରା ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ମାନସିକ ଏବଂ ଶାରୀରିକ ମହତ୍ଵ ବିଷୟରେ ସେ ବୁଝାଇଥିଲେ । ଏହାପରେ ଏକ ସାଧାରଣ ବୈଠକରେ ଜରାଶ୍ରମଗୁଡିକରେ ବରିଷ୍ଠ ନାଗରିକମାନଙ୍କ ଉପଯୁକ୍ତ ସେବା ଯତ୍ନ ଆଦି ସହିତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା, ରାଜ୍ୟରେ ପ୍ରତିଷ୍ଠିତ ସମନ୍ବିତ ଭିତ୍ତିଭୂମି କେନ୍ଦ୍ରଗୁଡିକରେ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ବିଭିନ୍ନ ସୁବିଧା, ବାର୍ଦ୍ଧକ୍ୟଜନିତ ଅକ୍ଷମତା ଦୂର ପାଇଁ ଫିଜିଓଥେରାପି କେନ୍ଦ୍ର ଆଦି ବିଷୟରେ ଅତିଥିମାନେ ଆଲୋଚନା କରିଥିଲେ । ଏହା ସହ ସ୍ଵାସ୍ଥ୍ୟ କ୍ଷେତ୍ରରେ ସହଜ ଚିକିତ୍ସା ପାଇଁ ପ୍ରଶାସନ ଗୁରୁତ୍ବ ଦେବାକୁ ମତ ଦେଇଥିଲେ ।
ସଭାରେ ଅତିଥିଙ୍କ ଦ୍ଵାରା ଜିଲ୍ଲାର ୨ ଜଣ ବରିଷ୍ଠ ନାଗରିକ ବିକ୍ରମ ବହିଦାର ଏବଂ ଶିବ ପ୍ରସାଦ ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ଏଥିରେ ଦେଓଗାଁ ସାଲେପାଲି ବୃଦ୍ଧଶ୍ରମର ଅଧିବାସୀଙ୍କୁ ଶ୍ରାବ୍ୟ ଜନ୍ତ୍ର ପ୍ରଦାନ କରାଯାଇଥିଲା । ସଭା ଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା ଧନ୍ୟବାଦ ଅର୍ପଣ କରିଥିଲେ I
ପ୍ରକାଶ ଥାଉକି, ଏହି ଦିବସରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ମାଗଣା ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା I