ଜୟପୁର– ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ପକ୍ଷରୁ “ଭାରତରେ ଶୂନ୍ୟ ନିର୍ଗମନ ହାସଲ କରିବାର ଏକ ଉପାୟ” ଶୀର୍ଷକ ଏକ ସ୍ୱତନ୍ତ୍ର ବକ୍ତୃତା ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ତାମିଲନାଡୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଫେସର କେ. ଦାମୋଦରନ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଏକ ସାରଗର୍ଭକ ବକ୍ତୃତା ପ୍ରଦାନ କରିଥିଲେ l କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଓ ଭାରପ୍ରାପ୍ତ କୁଳ ସଚିବ ପ୍ରଫେସର ଏନ୍ ସି ପଣ୍ଡା କାର୍ଯ୍ୟକ୍ରମର ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ। ଅର୍ଥନୀତି ବିଭାଗର ଭାରପ୍ରାପ୍ତ ମୂଖ୍ୟ ଡ. ମିନତି ସାହୁ ସ୍ୱାଗତ ଭାଷଣ ଓ ଅତିଥି ଓ ବିଷୟର ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।
ଜନସଂଖ୍ୟା, ଅସମାନତା, ଦାରିଦ୍ର୍ୟ, ଋଣ, ମୁଦ୍ରାସ୍ଫୀତି ଏବଂ କୃଷି ଦୃଷ୍ଟିରୁ ଭାରତୀୟ ଅର୍ଥନୀତିର ସାମ୍ପ୍ରତିକ ସ୍ଥିତି ବିଷୟରେ ଉଲ୍ଲେଖ କରି ପ୍ରଫେସର କେ. ଦାମୋଦରନ ୨୦୭୦ ସୁଦ୍ଧା ଶୂନ୍ୟ ନିର୍ଗମନ ହାସଲ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଶକ୍ତି ଚାହିଦା, ଶକ୍ତି ଯୋଗାଣ, ଚାହିଦା ଓ ଯୋଗାଣ ମଧ୍ୟରେ ବ୍ୟବଧାନ, ବାର୍ଷିକ ଶକ୍ତି ଆବଶ୍ୟକତା ଏବଂ ଜନସଂଖ୍ୟା ବୃଦ୍ଧିକୁ ଅନୁଭବ କରି ଶୂନ୍ୟ ନିର୍ଗମନ ହାସଲ କରିବା ପାଇଁ ନିଆଯିବାକୁ ଥିବା ବିଭିନ୍ନ ପଦକ୍ଷେପ ଓ ନୀତି ସମ୍ପର୍କରେ ସେ ଆଲୋଚନା କରିଥିଲେ। ସୌର ଶକ୍ତିର ବ୍ୟବହାର ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ। ଉତ୍ପାଦନ ଖର୍ଚ୍ଚ ଅଧିକ ଥିବାରୁ ଲୋକମାନେ ସୌର ଶକ୍ତି ବ୍ୟବହାର କରିବାକୁ ଅସମର୍ଥ ବୋଲି ସେ କହିଥିଲେ । ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ସରକାର ସବସିଡି ପ୍ରଦାନ କରିବା ଉଚିତ ଏବଂ ଏଭଳି କମ୍ପାନୀ କିମ୍ବା ବ୍ୟକ୍ତିବିଶେଷଙ୍କ ପାଇଁ ଟିକସ ହ୍ରାସ କରାଯିବା ଉଚିତ୍ ବୋଲି ସେ କହିଥିଲେ । ବିପୁଳ ପରିମାଣର ପ୍ରଦୂଷଣ ନିର୍ଗତ କରୁଥିବା ଇନ୍ଧନ ଚାଳିତ ଗାଡ଼ି ପରିବର୍ତ୍ତେ ଇଲେକ୍ଟ୍ରିକ୍ ଯାନ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ । ଶେଷରେ ସେ କହିଥିଲେ ଯେ ଭାରତ ଭଳି ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶ ପାଇଁ ସମୁଦାୟ ଅଂଶଗ୍ରହଣ, ସରକାରୀ କାର୍ଯ୍ୟାନୁଷ୍ଠାନ ଏବଂ ନୀତିଗତ ହସ୍ତକ୍ଷେପ ନିଟ୍ ଶୂନ୍ୟ ନିର୍ଗମନ ହାସଲ କରିବାର ପଥକୁ ଉତ୍ସାହିତ କରିପାରେ । ଶକ୍ତି ବ୍ୟବହାର ଏବଂ ପରିବେଶ ସୁରକ୍ଷା ବିଷୟରେ ସଚେତନ ହେବା ସହ ଅନ୍ୟ ବ୍ୟକ୍ତିବିଶେଷଙ୍କୁ ସଚେତନ କରିବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ଅବସରରେ ବିଶ୍ବବିଦ୍ୟାଳୟର ଅର୍ଥନୀତି ବିଭାଗର ସହକାରୀ ପ୍ରଫେସର ଡ. ବିଶ୍ୱଜିତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧ୍ୟାପକ, ଛାତ୍ରଛାତ୍ରୀ ଓ ଗବେଷକମାନେ ଯୋଗ ଦେଇଥିଲେ ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଜଣାଇଛନ୍ତି । ଅଧିବେଶନକୁ ବିଶ୍ବବିଦ୍ୟାଳୟର ଅର୍ଥନୀତି ବିଭାଗର ପିଏଚଡି ସ୍କଲାର ମନୀଷା ଗୁପ୍ତା ପରିଚାଳନା କରିଥିଲେ।