ଭୁବନେଶ୍ୱର– ସୋମବାର ଭୁବନେଶ୍ୱର କମିସନରେଟ ପୋଲିସ ମୁଖ୍ୟଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟ୍ୱିନସିଟି କମିସନରେଟ ପୋଲିସର ନୂଆ ମୁଖ୍ୟ ଔପଚାରିକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସୁରେଶ ଦେବଦତ ରାୟ ଲୋକଙ୍କ ସହଯୋଗ ଲୋଡିଛନ୍ତି ଏବଂ କମିସନରେଟ ପୋଲିସ ସର୍ବୋତ୍ତମ ଓ ମାନବୀୟ ପୋଲିସ ସେବାକୁ ପ୍ରାଥମିକତା ଦେବ ବୋଲି ଆଶ୍ୱାସନା ଦେଇଛନ୍ତି ।
ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ, ମୁଁ ଆଜି ଟ୍ୱିନସିଟିର ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛି । ମୁଁ ଖୁବ ଶୀଘ୍ର ମୋର ଟିମ ସହିତ ଆଇନ ଏବଂ ବ୍ୟବସ୍ଥାର ସ୍ଥିତିର ଆକଳନ କରିବି ତଥା ଆଇନ ବ୍ୟବସ୍ଥା ପାଇଁ ଏକ ଯୋଜନା କରିବି । ତଦନ୍ତ ପ୍ରକ୍ରିୟାରେ ଶୀଘ୍ରତା ତଥା ଅପରାଧୀଙ୍କୁ ନ୍ୟାୟର କାଠଗଡାକୁ ଆଣିବା ପାଇଁ ଆମେ ପ୍ରତିବଦ୍ଧ । ବିନା ଦ୍ୱିଧାରେ କମିସନରେଟ ପୋଲିସ ସହ ସଂପର୍କ କରିବାକୁ ଲୋକଙ୍କୁ ପ୍ରୋତ୍ସାହିତ କରାଯିବ ।
ଆଇନଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରୁତିବା ତଥା ସମାଜରେ ଅଶାନ୍ତି ସୃଷ୍ଟି କରୁଥିବା କୌଣସି ବ୍ୟକ୍ତି ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।