ପୁରୀ- ଜନତାଙ୍କ ସେବା କରିବା ମୋ ଜୀବନର ଲକ୍ଷ୍ୟ ବୋଲି ପୁରୀସଦର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଶ୍ରୀଜଗନ୍ନାଥ ଓ ଜନତାଙ୍କ ସେବା କରିବା ତାଙ୍କର ପରମ ଧର୍ମ । ପୁରୀ ସହରର ବିକାଶକୁ ସେ ସମର୍ଥନ କରନ୍ତି । ଶ୍ରୀକ୍ଷେତ୍ରର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ବିଶ୍ୱ ବିଦିତ କରାଇବାରେ ତାଙ୍କର ସହଯୋଗ ରହିଛି । ଶ୍ରୀମନ୍ଦିର ସୁରକ୍ଷା, ସୌନ୍ଦର୍ଯ୍ୟକରଣ ଓ ଶ୍ରୀକ୍ଷେତ୍ରର ଶ୍ରୀବୃଦ୍ଧି ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଆଗେଇ ଆସିବା ଉଚିତ୍ । ପ୍ରଥମ ପର୍ଯ୍ୟାୟରେ ଉଠାଦୋକାନୀ, ସ୍ଥାୟୀ ଦୋକାନୀମାନଙ୍କୁ ଥଇଥାନ କରାଯାଉ । ପରେ ଶ୍ରୀସେତୁ ଓ ଅନ୍ୟାନ୍ୟ କାର୍ଯ୍ୟ ସମୟ ସାପେକ୍ଷ ହେବ । ଗରିବ ଲୋକମାନଙ୍କର ସେବା କରିବା ମୋର ମୂଳଲକ୍ଷ୍ୟ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି ।
ଆହୁରି ମଧ୍ୟ ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ, ଲୋକମାନଙ୍କ ଭଲ ପାଇବା ଯୋଗୁଁ ସେ ବିଧାୟକ ହୋଇପାରିଛନ୍ତି । ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ପାଇଁ ସଦାବେଳେ ସହଯୋଗ କରିଛନ୍ତି । ପୁରୀକୁ ବିଶ୍ୱସ୍ତରରେ ୧ନମ୍ବର ସହରଭାବେ ଗଢିତୋଳିବା ପାଇଁ ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ପୁରୀର ସ୍ୱଚ୍ଛତା, ସ୍ୱେରେଜ, ଡ୍ରେନେଜ, ସ୍ୱାସ୍ଥ୍ୟ ସମସ୍ୟା, ଆଲୋକୀକରଣ, ରାସ୍ତାଘାଟ, ଭେଣ୍ଡିଂ ଜୋନ୍, ପାର୍କିଂ, ପାର୍କ, ବିଚ୍ ସଫେଇ, ବିଚ୍ ଟଏଲଟ, ପୁରୀ ସହରର ଜମିଜମା ସମସ୍ୟା, ତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର ପରି ଅନେକ କାମ ବାକି ରହିଛି । ଏହି କାମ ସବୁ ସଂପୂର୍ଣ୍ଣ କରିବା ପାଇଁ ରାଜ୍ୟ ସରକାର ସହଯୋଗ କରିବା ଉଚିତ । ବିକାଶକୁ ବିରୋଧ କରୁନାହୁଁ । କିନ୍ତୁ, ବିକାଶ ନାଁରେ ବିନାଶ ଓ ବେପାର କରାନଯାଉ । ପୁରୀସହର ବାସୀମାନେ ଅତି ସରଳିଆ ଓ ସ୍ୱାଭିମାନି । ସବୁ ସମସ୍ୟାର ସମାଧାନ ପାଇଁ ପ୍ରଭୁ ଶ୍ର୍ରୀଜଗନ୍ନାଥଙ୍କ ଆର୍ଶିବାଦ ରହିବା ଉଚିତ୍ ।