-
ମହିଳାଙ୍କ ସହ ପୁରୁଷଙ୍କୁ ବି ଲିଙ୍ଗଗତ ସଚେତନତାର ଆବଶ୍ୟକତା
ଭୁବନେଶ୍ୱର:ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀର ଦ୍ଵିତୀୟ ଦିବସରେ ମହିଳା ସୁରକ୍ଷାରେ ବହୁ ବିଭାଗର ଏକକ ସମନ୍ଵୟ ଉପରେ ସ୍ଵତନ୍ତ୍ର ଅଧିବେଶନରେ ଆଲୋଚନା ହୋଇଥିଲା l ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଆୟୋଜିତ ଆଲୋଚନାରେ ଗୃହ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀମତୀ ସନ୍ତୋଷ ବାଲା, ଅରକ୍ଷୀ ମହାନିରୀକ୍ଷକ ସାଇନି ଏସ, ମହିଳା ଶିଶୁ ବିକାଶ ଓ ରାଜ୍ୟ ସମାଜ କଲ୍ୟାଣ ବୋର୍ଡର ନିର୍ଦ୍ଦେଶିକା ମୋନିଶା ବାନାର୍ଜୀ, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ଅଂଶଗ୍ରହଣ କରିଥିଲେ l
ଆରକ୍ଷୀ ମହାନିରୀକ୍ଷକ ସାଇନି ଏସ ଓଡ଼ିଶାର ମହିଳା ସୁରକ୍ଷାରେ ପୋଲିସର ଭୂମିକା ବିଷୟରେ ବିଭିନ୍ନ ତଥ୍ୟ ଉପସ୍ଥାପନା କରିଥିଲେ l ଏଥିରେ ଦର୍ଶାଯାଇଥିଲା ଯେ ଓଡ଼ିଶାର ବହୁ ମହିଳା ବିରୋଧୀ ହିଂସା ସେମାନଙ୍କ ନିଜ ସମ୍ପର୍କୀୟ ଲୋକଙ୍କ ଦ୍ୱାରା ହିଁ ହୋଇଥାଏ l ପ୍ରତିଟି ଥାନାର ଦକ୍ଷତା ବିକାଶ ସହ ଥାନାକୁ ଆସୁଥିବା ସମସ୍ତ ଅଭିଯୋଗକାରୀଙ୍କୁ ଭଲ ବ୍ୟବହାର ଦେଖାଇ ତାଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାପାଇଁ ସେ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ l
ମହିଳା ଶିଶୁ ବିକାଶ ଓ ରାଜ୍ୟ ସମାଜ କଲ୍ୟାଣ ବୋର୍ଡର ନିର୍ଦ୍ଦେଶିକା ମୋନିଶା ବାନାର୍ଜୀ ମହିଳା ସୁରକ୍ଷା ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ l ହେଲ୍ପ ଲାଇନ ନମ୍ବର -୧୮୧, ୱାନ୍ ଷ୍ଟପ ସେଣ୍ଟର, ଶକ୍ତି ସଦନ, ସଖୀ ନିବାସ ଆଦି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ l କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କୁ ଯୌନ ଉତ୍ପୀଡନକୁ ରୋକିବା ପାଇଁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ସକ୍ରିୟ ପରିଚାଳନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ l ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା କରି ମହିଳା ସୁରକ୍ଷାରେ ଓଡ଼ିଶା ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିବ ବୋଲି ସେ ପ୍ରକାଶ କରିଥିଲେ l କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ତୃଣମୂଳ ସ୍ତରର ହେଉଥିବା ବିଭନ୍ନ ଅପରାଧର ମାସିକ ତାଲିକା ପ୍ରସ୍ତୁତ ହୋଇ ବିଭିନ୍ନ ସ୍ତରରେ ବିଶ୍ଳେଷଣ କରାଯାଉ ବୋଲି ପ୍ରସ୍ତାବ ଦେଇଥିଲେ l ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ଏହି ଆଲୋଚନାରେ ଅଂଶଗ୍ରହଣ କରି ଜନଜାତି ବହୁଳ ଅଞ୍ଚଳ ମାନଙ୍କରେ ହେଉଥିବା ମହିଳା ବିରୋଧୀ ଅପରାଧର କାରଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ l
ଶେଷରେ ଗୃହ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀମତୀ ସନ୍ତୋଷ ବାଲା ମହିଳା ବିରୋଧୀ ହିଂସା ରୋକିବା ପାଇଁ ମହିଳାଙ୍କ ସହ ପୁରୁଷଙ୍କୁ ମଧ୍ୟ ଲିଙ୍ଗଗତ ସଚେତନତା ବିଷୟରେ ଶିକ୍ଷାଦେବାର ଗୁରୁତ୍ଵ ସମ୍ବନ୍ଧରେ ଆଲୋଚନା କରିଥିଲେ l