ମାଲକାନଗିରି – ଭାରତୀୟ ରେଡ଼କ୍ରସ ଏହାର ସ୍ଥାପନାର ଶତବାର୍ଷିକୀ ପାଳନ କରିବା ଅବସରରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ଯାଉଛି । ଏଥିମଧ୍ୟରୁ ଯୁବ ରେଡ଼କ୍ରସ ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ପ୍ରାଥମିକ ଚିକିତ୍ସାର ଜ୍ଞାନ ସମ୍ବନ୍ଧୀୟ ଏକ ପ୍ରତିଯୋଗିତାର ଆୟୋଜନ କରାଯାଉଛି । ପ୍ରାଥମିକ ସ୍ତରରେ ରାଜ୍ୟର ସମସ୍ତ ଜିଲ୍ଲାଗୁଡ଼ିକରେ ଏହି ପ୍ରତିଯୋଗିତା ବିଭିନ୍ନ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ କରାଇବାର କାର୍ଯ୍ୟକ୍ରମ ରହିଥିଲା । ଏହି ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଦଳ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପାଇବେ । ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଦଳ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗନେବାର ସୁଯୋଗ ପାଇବେ । ଏହି କ୍ରମରେ ମାଲକାନଗିରି ଜିଲ୍ଲାର ରେଡ଼କ୍ରସ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ମନିଶ ଅଗ୍ରୱାଲଙ୍କ ନିର୍ଦ୍ଦେଶ ତଥା ରେଡ଼କ୍ରସ ରାଜ୍ୟଶାଖାର ଅନୁମତି କ୍ରମେ ଜିଲ୍ଲାସ୍ତରୀୟ ପ୍ରାଥମିକ ଚିକିତ୍ସା ପ୍ରତିଯୋଗିତା ଗତ ୧୭.୦୧.୨୦୨୦ ତାରିଖ ଦିନ ମାଲକାନଗିରି ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ନଅଗୋଟି ମହାବିଦ୍ୟାଳୟରୁ ଗୋଟିଏ ଗୋଟିଏ ଦଳ ଭାଗ ନେଇଥିଲେ । ପ୍ରତି ଦଳରେ ସମ୍ପୃକ୍ତ ମହାବିଦ୍ୟାଳୟର ୪ଜଣ ସ୍ୱେଚ୍ଛାସେବୀ ଏବଂ ଜଣେ ପରାମର୍ଶଦାତା ପ୍ରତିଯୋଗିତାରେ ଭାଗ ନେଇଥିଳେ । ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ଆୟୋଜିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ସଭାପତିତ୍ୱ କରିଥିବାବେଳେ ଜିଲ୍ଲା ରେଡ଼କ୍ରସର ସମ୍ପାଦକ ତଥା ଉପ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନେହେରୁ ଯୁବକେନ୍ଦ୍ରର ସଂଯୋଜକ ହରିଶ ରୂପଲ ମାଥିଲି ମହାବିଦ୍ୟାଳୟର ରଞ୍ଜନ କୁମାର ରାଉତ, କାଲିମେଳା ମହାବିଦ୍ୟାଳୟର ରବିକୁମାର ପ୍ରମୁଖ ଏହି ସଭାରେ ଯୋଗଦାନ କରିଥିଲେ । ଜିଲ୍ଲା ଯୁବ ରେଡ଼କ୍ରସରେ ଆବାହକସମ୍ପାଦକ ଡ. ରଞ୍ଜନ କୁମାର ସ୍ୱାଇଁ ସଭା ପରିଚାଳନା କରିଥିବାବେଳେ ଜିଲ୍ଲା ଯୁବରେଡ଼କ୍ରସର ସଂଯୋଜକ ଡି. ଆଶିଷ ରାଠୋର ପ୍ରାଥମିକ ଚିକିତ୍ସା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବା ସହ ପ୍ରତିଯୋଗିତାର ପରିଚାଳନା ଏବଂ ମୂଲ୍ୟାୟନ କରିଥିଲେ । ପ୍ରତିଯୋଗିତାରେ ଭାଗନେଇଥିବା ସମସ୍ତ ମହାବିଦ୍ୟାଳୟ ମଧ୍ୟରୁ ମାଲକାନଗିରି ମହାବିଦ୍ୟାଳୟର ପ୍ରତିଯୋଗିମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହି ସଫଳତା ପାଇଁ ସେମାନଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିବାଦନ କରିଥିଲେ । ଏହି କାର୍ଯ୍ୟକ୍ରମର ଆୟୋଜନ ଏବଂ ପ୍ରତିଯୋଗିମାନଙ୍କ ଯିବା ଆସିବା ଖର୍ଚ୍ଚ ଜିଲ୍ଲା ରେଡ଼କ୍ରସ ବହନ କରିବା ସହ ସମସ୍ତ ପ୍ରତିଯୋଗୀମାନଙ୍କୁ ଭାଗ ନେଇଥିବାରୁ ଅଭିବାଦନ ଜଣାଇବା ଦ୍ୱାରା କାର୍ଯ୍ୟକ୍ରମ ସମାପ୍ତି ଘୋଷଣା କରାଯାଇଥିଲା ।
Related Stories
November 23, 2024