-
ବ୍ୟକ୍ତି ନିର୍ମାଣରେ ରାଷ୍ଟ୍ର ନିର୍ମାଣ ସମ୍ଭବ: ମନ୍ତ୍ରୀ ଶ୍ରୀ ଗଣ୍ଡ
ଭୁବନେଶ୍ୱର, ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ଵାରା ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀର ଶୁଭାରମ୍ଭ କରାଯାଇଛି । ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟର ଠାରେ ଆୟୋଜିତ ଉକ୍ତ ସମ୍ମିଳନୀର ଏକ ଅଧିବେସନରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଲିନୀ ପଣ୍ଡିତ ବିଭାଗୀୟ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରିଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ଶିକ୍ଷାରେ ପରିବର୍ତ୍ତନ ଆଣିବାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ , ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସରକାର ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ସ୍କୁଲଗୁଡ଼ିକୁ ‘ପିଏମ-ଶ୍ରୀ’ ଯୋଜନାରେ ସାମିଲ କରାଯାଉଛି । ‘ନିପୁଣ ଓଡ଼ିଶା’ ମାଧ୍ୟମରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନରେ ଗୁଣାବତ୍ତା ଆସିଛି ଏବଂ ପ୍ରାଥମିକ ସ୍ତରରୁ ପିଲାମାନଙ୍କୁ ସକ୍ଷମ କରାଯାଉଛି ବୋଲି ମନ୍ତ୍ରୀ ମତପ୍ରକାଶ କରିବା ସହ ବ୍ୟକ୍ତି ନିର୍ମାଣରେ ରାଷ୍ଟ୍ର ନିର୍ମାଣ ସମ୍ଭବ ହୋଇପାରିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ସେପ୍ଟେମ୍ୱର ୫ ତାରିଖରେ ପବିତ୍ର ଗୁରୁ ଦିବସ ଅବସରରେ ନିପୁଣ ଓଡ଼ିଶା ଯୋଜନାର ଶୁଭାରମ୍ଭ କରିଥିଲେ । ନିପୁଣ ଓଡ଼ିଶା ମୁଖ୍ୟତଃ ଗୁଣାତ୍ମକ ପ୍ରାଥମିକ ଶିକ୍ଷାକୁ ପ୍ରାଧାନ୍ୟ ଦେଉଛି । ତୃତୀୟ ଶ୍ରେଣୀ ଶେଷ ସୁଦ୍ଧା ଛାତ୍ରଛାତ୍ରୀମାନଙ୍କୁ ପଢ଼ିବା, ଲେଖିବା ଓ ସଂଖ୍ୟା ଜ୍ଞାନରେ ନିପୁଣ କରିବା ଏହି ଯୋଜନାର ଉଦ୍ଦେଶ୍ୟ । ଏହି ଯୋଜନା ଉଭୟ ଜିଲ୍ଲା ଓ ବ୍ଲକସ୍ତରରେ କାର୍ଯକାରୀ ହେବ । ଏଥିସହିତ ଶିକ୍ଷା ସୋପାନ ରେଜିଷ୍ଟ୍ରର ମାଧ୍ୟମରେ ପାଠ ପଢ଼ା ପରେ ବ୍ୟକ୍ତିଗତସ୍ତରରେ ବିଦ୍ୟାର୍ଥୀ କଣ ଶିଖିଲେ ତାହାର ମୂଲ୍ୟାଙ୍କନ କରିବା ଓ ସେମାନଙ୍କର ଅଗ୍ରଗତି ସମ୍ପର୍କରେ ଅବଗତ ହେବେ ଶିକ୍ଷକ-ଶିକ୍ଷୟିତ୍ରୀ ।
ଦ୍ଵିତୀୟରେ ପିଏମ୍-ଶ୍ରୀ ଯୋଜନା ସମ୍ପର୍କରେ ସୂଚନା ଦିଆଯାଇଥିଲା । ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ପିଏମ୍-ଶ୍ରୀ ଯୋଜନା ସାହାଯ୍ୟ କରିବ । ବର୍ତ୍ତମାନର ଡିଜିଟାଲ ଯୁଗରେ ଛାତ୍ରଛାତ୍ରୀଙ୍କୁ ଅଧିକ ସଶକ୍ତ କରିବା ଲକ୍ଷ୍ୟରେ ଏହି ଯୋଜନା କାର୍ଯ୍ୟ କରିବ । ବିଦ୍ୟାଳୟରେ ବ୍ୟବହୃତ ହେଉନଥିବା ଭିତ୍ତିଭୂମିକୁ ସାମାଜିକ କାର୍ଯ୍ୟରେ ବ୍ୟବହାର କରାଯିବ, ଯାହା ଦ୍ୱାରା ସ୍ଥାନୀୟ ସଂସ୍କୃତି ସହ ଛାତ୍ରଛାତ୍ରୀମାନେ ପରିଚିତ ହେବେ, ସାମାଜିକ ଚେତନା କେନ୍ଦ୍ର ପରି ଅଭିନବ ପଦକ୍ଷେପ ହାତକୁ ନିଆଯାଇପାରିବ । ଗୋଷ୍ଠୀ ସହଭାଗିତା ଓ ପୁରାତନ ଛାତ୍ରଛାତ୍ରୀଙ୍କୁ ଏହା ମାଧ୍ୟମରେ ଯୋଡ଼ା ଯାଇପାରିବ । ବିଦ୍ୟାଳୟଗୁଡିକରେ ବର୍ଜ୍ୟବସ୍ତୁ ପରିଚାଳନା, ସ୍ୱଚ୍ଛତା, ଜଳ ସଂରକ୍ଷଣ, ଜଳବାୟୁ ପରିବର୍ତ୍ତନ ସଚେତନତାକୁ ଏହି ଯୋଜନା ମାଧ୍ୟମରେ ପ୍ରୋତ୍ସାହିତ କରାଯିବ । ତୃତୀୟରେ ରାଜ୍ୟ ସରକାରଙ୍କ ପ୍ରମୁଖ ଯୋଜନା ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ସମ୍ପର୍କରେ ସୂଚନା ପ୍ରଦାନ କରି ବିଭାଗୀୟ କମିଶନର ତଥା ଶାସନ ସଚିବ କହିଛନ୍ତି, ପ୍ରତି ଗ୍ରାମ ପଞ୍ଚାୟତରେ ମଡେଲ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯିବ । ଜାତୀୟ ଶିକ୍ଷା ନୀତି – ୨୦୨୦ ଏବଂ ଶିକ୍ଷା ଅଧିକାର ଅଧିନିୟମକୁ ଆଧାର କରି ଯୋଜନା କାର୍ଯ୍ୟକାରୀ କରାଯିବ । ଏହି ସବୁ ମଡେଲ ବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟମାନଙ୍କ ପାଇଁ ‘ଫିଡର୍ ବିଦ୍ୟାଳୟ’ ହେବ । ଏହି ଯୋଜନା ଜରିଆରେ ପ୍ରାଥମିକ ବିଦ୍ୟାଳୟରୁ ଉଚ୍ଚ ବିଦ୍ୟାଳୟ ଯିବା ସମୟରେ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୂର କରିବ ।
ଜିଲ୍ଲାସ୍ତରରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଜିଲ୍ଲାପାଳଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଶିକ୍ଷକମାନଙ୍କୁ ଶିକ୍ଷଣ ସାମଗ୍ରୀ ଯୋଗାଇଦେବା, ଶିକ୍ଷଣୀୟ ପଦ୍ଧତିକୁ ଉନ୍ନତ କରିବା, ବିଭିନ୍ନ ଅଂଶୀଦାରଙ୍କ ଠାରୁ ମତାମତ ଗ୍ରହଣ କରିବା, ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଓ ବିଭିନ୍ନ ଯୋଜନାର ମନିଟରିଂ କରିବାରେ ଜିଲ୍ଲାସ୍ତରରେ ପଦକ୍ଷେପ ଗ୍ରହଣ କରାଯିବ ।
ଆଲୋଚନାରେ ଝାରସୁଗୁଡ଼ା ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେ ଓ କଳାହାଣ୍ଡି ଜିଲ୍ଲାପାଳ ସଚିନ୍ ପଓ୍ୱାର ଉପସ୍ଥିତ ରହି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଉପରେ ନିଜର ଅଭିଜ୍ଞତା ବାଣ୍ଟିଥିଲେ । ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା ବିଭାଗ ପ୍ରାଥମିକ ଶିକ୍ଷା ପାଇଁ “ଉଦିଆଁ ତରା” ନାମକ ଏକ ଅଭିଯାନ ୨୦୨୩-୨୪ ରେ ଆରମ୍ଭ କରାଯାଇଛି । ଏହି ଅଭିଯାନ ଦ୍ୱାରା ବିଦ୍ୟାର୍ଥୀଙ୍କ ଉପସ୍ଥାପନା ବୃଦ୍ଧି ପାଇଥିବା ବେଳେ ୪୦% ରୁ କମ୍ ମାର୍କ ରଖୁଥିବା ବିଦ୍ୟାର୍ଥୀଙ୍କ ସଂଖ୍ୟା ୨୧% ରୁ ୬% କୁ ଖସିଛି ଏବଂ ବୋର୍ଡ ପରୀକ୍ଷା ଫଳାଫଳରେ ଜିଲ୍ଲା ୧୫ତମ ସ୍ଥାନରୁ ୫ମ ସ୍ଥାନରେ ରହିଛି । ଉଦିଆଁ ତରା ଅଭିଯାନ ଅନ୍ତର୍ଗତ ରେମେଡିଆଲ୍ କ୍ଲାସ, ଶିକ୍ଷଣ ସାମଗ୍ରୀର ବିକାଶ, ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କୁ ଖୋଜି ପୁଣି ବିଦ୍ୟାଳୟକୁ ଆଣିବା, ସାପ୍ତାହିକ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି ।
ଜନଜାତି ବହୁଳ ଜିଲ୍ଲା କଳାହାଣ୍ଡିରେ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇ ପାରିଛି । ଜନଜାତି ଛାତ୍ରଛାତ୍ରୀ ସେମାନଙ୍କ ନିଜ ଭାଷାରେ ଶିକ୍ଷାଗ୍ରହଣ କରୁଛନ୍ତି । କଳାହାଣ୍ଡି ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ପାସ୍ ହାର ୯୭% କୁ ବୃଦ୍ଧି ପାଇଛି । ଆଗକୁ ରାଜ୍ୟ ସରକାରଙ୍କ ଶିକ୍ଷା ଯୋଜନା ଗୁଡିକୁ କିପରି ତୃଣମୂଳସ୍ତରରେ ପହଞ୍ଚାଯାଇପାରିବ ସେ ନେଇ ଜିଲ୍ଲାପାଳଙ୍କ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।