ମାଲକାନଗିରି- ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ୧୭ ଓ ୧୮ ଜାନୁଆରୀ ମାଲକାନଗିରିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହ ଠାରେ ଆଇନସେବା ପ୍ରାଧିକରଣ ଦ୍ୱାରା ନୂତନ ଭାବେ ପଞ୍ଜୀକୃତ ହୋଇଥିବା ପାରା ଲିଗାଲ ସ୍ୱେଚ୍ଛାସେବୀମାନଙ୍କ ସକାଶେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜଜ୍ ତଥା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ରୋହିତ ଲାଲ ପଣ୍ଡା, ଅତିରିକ୍ତ ଜିଲ୍ଲା ଜଜ୍ ମହଲତ ସା, ରେଜିଷ୍ଟ୍ରାର ଶ୍ରୀ ହିଂମାଶୁ ଖେର ସିଂ, ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀ ଅମରେଶ ନାୟକ, ବରିଷ୍ଠ ଦେୱାନି ବିଚାରପତି ଶ୍ରୀମତୀ ସୁଚେତା କୃପାଳିନୀ, ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ଶ୍ରୀ କୃଷ୍ଣଚନ୍ଦ୍ର ନାୟକ, ଜେଏମଏସସି, ମାଲକାନଗିରି ଶ୍ରୀ ପଦ୍ମଲାଭ ମାଝି, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଶ୍ରୀ ଅଶୋକ ପଟ୍ଟନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ଦାସ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, ମାଲକାନଗିରି ଶ୍ରୀ ପଦ୍ମରଞ୍ଜନ ଦାସ, ଶିଶୁ ମଙ୍ଗଳ ସମିତି ସଦସ୍ୟ ଶ୍ରୀ ଦୀନବନ୍ଧୁ ଦାସ, ଶିଶୁ ମଙ୍ଗଳ ସମିତି ସଦସ୍ୟା କୁମାରୀ ଚୁମକି ବେହେରା, ମାଲକାନଗିରି ସମାଜସେବୀ କୁମାରୀ ଜୟନ୍ତୀ ବୁରୁଦା, ମାଲକାନଗିରି ମହାବିଦ୍ୟାଳୟ ଅଧ୍ୟାପକ ତଥା ସ୍ୱେଚ୍ଛାସେବୀ ଡାଃ ରଞ୍ଜନ କୁମାର ସ୍ୱାଇଁ, ପ୍ରମୁଖ ଉପସ୍ଥିତ ଥିଲେ । ବର୍ଜ୍ୟକ୍ରମରେ ବିଭିନ୍ନ ବର୍ଗ ଯଥା ମହାବିଦ୍ୟାଳୟ ଛାତ୍ର, ଛାତ୍ରୀ, ଆଶା ସାଥି, ଅଙ୍ଗନୱାଡ଼ି କର୍ମୀ ଓ ଅନ୍ୟାନ୍ୟ ଭଳି ବିଭିନ୍ନ ବର୍ଗର ପ୍ରାୟ ୧୩୦ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ମାଲକାନଗିରି ତଥା ଜିଲ୍ଲାର ବିଭିନ୍ନ ଅଂଚଳରୁ ଯୋଗ ଦେଇଥିଲେ । ଉପସ୍ଥିତ ସ୍ୱେଚ୍ଛାସେବୀମାନଙ୍କୁ ପ୍ରଥମେ ଆଇନ ସେବାର ଆଭିମୁଖ୍ୟ ଓ ପାରାଲିଗାଲ ସ୍ୱେଚ୍ଛାସେବୀମାନଙ୍କର ସମାଜରେ ରହୁଥିବା ଦୁର୍ବଳ, ଅବହେଳିତ, ଅଶିକ୍ଷିତ ଲୋକଙ୍କ ପାଇଁ ରହିଥିବା କର୍ତବ୍ୟ ଓ ଆଇନସେବା ପ୍ରାଧିକରଣ ମାଧ୍ୟମରେ ପାରାଲିଗାଲ ସ୍ୱେଚ୍ଛାସେବୀ କିପରି ସମାଜ ଓ ଆଇନ ସେବା ପ୍ରାଧିକରଣ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିବେ ତାହା ଉପରେ ବିସ୍ତୃତ ପ୍ରଶିକ୍ଷଣ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଜାତୀୟ ଆଇନସେବା ପ୍ରାଧିକରଣ ଓ ରାଜ୍ୟ ଆଇନସେବା ପ୍ରାଧିକରଣ ଦ୍ୱାରା ପ୍ରଦତ ଅଧିବେଶନ/ସତ୍ର ଅନୁଯାୟୀ ସମ୍ବିଧାନର ମୌଳିକ ଗଠନ, ସାମ୍ବିଧାନିକ ଅଧିକାର ଓ କର୍ତବ୍ୟ ଆଇନ ସେବା ପ୍ରାଧିକରଣ ନିୟମ ଓ ପାରାଲିଗାଲ ସ୍ୱେଚ୍ଛାସେବୀମାଙ୍କର କାର୍ଯ୍ୟପନ୍ଥା, ମୌଳିକ ଫଉଜଦାରି ଆଇନ ଯେପରି ଏତଲା, ଜାମିନ, ଅଭିଯୁକ୍ତର ଅଧିକାର, ପାରିବାରିକ ଆଇନ, ବୈବାହିକ ଓ ଭରଣ ପୋଷଣ ସମ୍ବନ୍ଧୀୟ ଆଇନ ପୀଡ଼ିତା କ୍ଷତିପୂରଣ, ଘରୋଇ ହିଂସା ନିରୋଧ ଆଇନ, ବରିଷ୍ଠ ନାଗରି ଆଇନ, ସମାଜ ସୁରକ୍ଷା ଓ ସମାଜ ମଙ୍ଗଳ ଯୋଜନା, ଶ୍ରମିକ ଆଇନ, ଖାଉଟି ସୁରକ୍ଷା ଆଇନ, ସୂଚନା ଅଧିକାର ଆଇନ, ନାରୀ ଓ ଶିଶୁ ସମ୍ପର୍କିତ ବିଭିନ୍ନ ଆଇନ ଓ ଯୋଗାଯୋଗ ଦକ୍ଷତା ଭଳି ବିଭିନ୍ନ ବିଷୟ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଆଇନ ସେବା ପ୍ରାଧିକରଣର ସଚିବ ଅମରେଶ ନାୟକ ପାରା ଲିଗାଲ ସ୍ୱେଚ୍ଛାସେବୀମାନଙ୍କର ମୁଖ୍ୟ କର୍ତବ୍ୟ ଓ ଦାୟିତ୍ୱ ଯେପରିକି ଆଇନ୍ ସେବା ସମ୍ବନ୍ଧରେ ସାଧାରଣ ଲୋକଙ୍କୁ ସଚେତନ କରାଇବା, ଲୋକଙ୍କର ବିଭିନ୍ନ ଛୋଟବଡ଼ ବିବାଦଗୁଡ଼ିକୁ କିପରି ଆଇନସେବା ପ୍ରାଧିକରଣର ରହିଥିବା, ନ୍ୟାୟ ସଂଯୋଗ, ସମ୍ମୁଖ କାର୍ଯ୍ୟାଳୟ, ପ୍ରାକ୍ ମୋକଦ୍ଦମା ମଧ୍ୟସ୍ଥିତା କେନ୍ଦ୍ର, ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତରେ ଆପୋଷ ବୁଝାମଣା ଦ୍ୱାରା ସମାଧାନ ହୋଇପାରୁଛି ସେହି ସମ୍ପର୍କରେ ପାରା ଲିଗାଲ ସ୍ୱେଚ୍ଛାସେବୀ ତାଙ୍କ ଅଂଚଳରେ ଲୋକଙ୍କୁ ସତେତନ କରାଇ ଲୋକ ଓ ଆଇନସେବା ପ୍ରାଧିକରଣ ମଧ୍ୟରେ ସେତୁ ସଦୃଶ୍ୟ କାର୍ଯ୍ୟ କରିବା ପାଇଁ ଆହ୍ୱାନ କରିଥିଲେ । ଗରିବ, ଅନାଥ, ସ୍ୱାମୀ ପରିତ୍ୟକ୍ତା, ବୟୋଜ୍ୟେଷ୍ଠ ବ୍ୟକ୍ତି, ଶିଶୁ ଶ୍ରମିକ ଓ ଅନ୍ୟାନ୍ୟ ଅସହାୟ ଲୋକଙ୍କୁ ଅନିସେବା ବିଷୟରେ ଅବଗତ କରାଇ ତାଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ଓ ସୁଫଳକୁ ଗ୍ରହଣ କରିବା ପାଇଁ ସଚେତନ କରିବା ପାଇଁ ଆଲୋକପାତ କରିଥିଲେ । ସେହିପରି ଦାଦନ ଶ୍ରମି, ଶିଶୁ ଶ୍ରମିକ, ମହିଳାମାନଙ୍କ ଅଧିକାର ସମ୍ପର୍କରେ ମଧ୍ୟ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଅବଗତ କରିଥିଲେ । ଲୋକ ଯଦି ଇନ୍ଦିରା ଆବାସ, ଆଧାର ଖାତା, ବାର୍ଦ୍ଧକ୍ୟ ଭତା, ବିଧବା ଭତା ଭଳି ଜନମଙ୍ଗଳ ଯୋଜନାରେ ସୁଫଳ ଲୋକ କିପରି ପାଇବେ ତା’ ପାଇଁ କମ୍ କରିବା ପାଇଁ କହିଥିଲେ । ଶେଷରେ ମାଲକାନଗିରି ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ରୋହିତ ଲାଲ ପଣ୍ଡା ଉପସ୍ଥିତ ସ୍ୱେଚ୍ଛାସେବୀ ଗଣଙ୍କୁ ଆଇନ ସେବା ପ୍ରାଧିକରଣ ସଂସ୍ଥାକୁ ସ୍ୱାଗତ ଜଣାଇ ସମସ୍ତେ ମିଶି ଏକ ଟିମ୍ ଭାବେ ସମାଜର ଗରିବ, ଅବହେଳିତ, ନିଷ୍ପେସିତ ଲୋକଙ୍କ ସେବା ସହାୟତାରେ ନିଜକୁ ନିୟୋଜିତ କରିବା ପାଇଁ ଆହ୍ୱାନ କରି ସମସ୍ତ ସ୍ୱେଚ୍ଛାସେବୀମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ ।
Related Stories
November 23, 2024