ଖୋର୍ଦ୍ଧା– ଖୋର୍ଦ୍ଧା ବନଖଣ୍ଡରେ ଏବେ ମହାବଳ ଆତଙ୍କ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଣପୁର ବ୍ଲକ୍ ମୋରାମୋରୀ ପଞ୍ଚାୟତ ଅନ୍ତର୍ଗତ ସଲପଡିହ ଜଙ୍ଗଲରେ । ତେବେ ପାଦଚିହ୍ନରୁ ମହାବଳ ବାଘର ବୋଲି ବନ ବିଭାଗ ସ୍ପଷ୍ଟ କରିବା ପରେ ଏହା ଉପରେ ନଜର ରଖିବାକୁ ଡ୍ରୋନ୍ କ୍ୟାମେରା ବ୍ୟବହାର କରାଯାଉଛି।
ସୂଚନା ଅନୁଯାୟୀ, ଗତକାଲି ମଧ୍ୟରାତ୍ରରେ ମହାବଳ ସଲପଡିହ ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ଏକ ଷଣ୍ଢକୁ ମାରି ଖାଇଥିଲା। ପରେ ଷଣ୍ଢଟି ରାତି ୯ଟାରେ ସଲପଡିହ ଝୋଲାସାହିସ୍ଥିତ ପାଣ୍ଡବାଶୁଣି ମନ୍ଦିର ନିକଟରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ତାକୁ ଘୋଷାଡ଼ି ନେଇଥିଲା ମହାବଳ। ଆଜି ସକାଳେ ହରିଜନସାହି ମଙ୍ଗଳା ମନ୍ଦିର ଠାରୁ ଅନତି ଦୂର ଥିବା ଜୟକୃଷ୍ଣ ସ୍ବାଇଁଙ୍କ ଚାଷ ଜମିରେ ଷଣ୍ଢର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏପରିକି ଷଣ୍ଢର ଶରୀରର କିଛି ଅଂଶକୁ ମହାବଳ ଖାଇଯାଇଥିବା ଦେଖିବାକୁ ମିଳିଛି । ଏ ଭଳି ଲୋମହର୍ଷଣକାରୀ ଦୃଶ୍ୟ ଦେଖି ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ ଅଧିକାରୀଙ୍କ ସମେତ କର୍ମଚାରୀ ସେଠାରେ ପହଞ୍ଚି ବାଘ ଉପସ୍ଥିତି ନେଇ ଅନୁଧ୍ୟାନ କରିଥିଲେ।
ଅନୁଧ୍ୟାନ କରିବା ପରେ ବିଭାଗ ପକ୍ଷରୁ ଘଟଣାସ୍ଥଳରୁ କାଦୁଅ ଓ ବିଭିନ୍ନ ସ୍ଥାନରେ ସଂଗୃହୀତ ପାଦ ଚିହ୍ନରୁ ଏହା ମହାବଳ ବାଘ ବୋଲି ସ୍ପଷ୍ଟ ହୋଇଛି। ସଲପଡ଼ିହ ଜଙ୍ଗଲରେ ମହାବଳ ବାଘର ଅବସ୍ଥିତି ଠଉରାଇବା ପାଇଁ ଡ୍ରୋନ୍ କ୍ୟାମେରାର ସହାୟତା ନିଆଯିବା ସହିତ ମହବଳର ସନ୍ଧାନ ଚାଲିଥିବା ଟାଙ୍ଗୀ ଏସିଏଫ୍ ଦେବାଶିଷ ଭୋଇ ଓ ନାଚୁଣୀ ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ସେହିପରି ମହାବଳକୁ ନେଇ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସଲପଡ଼ିହ ଓ ଶୁଳିଆ ଜଙ୍ଗଲ ଅଞ୍ଚଳକୁ କୌଣସି କାମରେ ଏକୁଟିଆ ନଯିବା ପାଇଁ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି।