ମାଲକାନଗିରି– ମାଲକାନଗିରି ଜିଲ୍ଲା ପ୍ରବେଶପଥ ଗୋବିନ୍ଦପାଲ୍ଲୀ ଘାଟିରେ କୂଳୁ କୂଳୁ ନାଦରେ ପାହାଡର ବୁକୁ ଚିରି ବୋହି ଯାଇଥିବା ଚିରସ୍ରୋତା ସପ୍ତାଧାରା ନଦୀ ଏବେ ଖୋଜୁଛି ନିଜ ପରିଚୟ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଗ୍ରହ ଥିବା ସତ୍ବେ ପର୍ଯ୍ୟଟନସ୍ଥଳୀ ମାନ୍ୟତରୁ ବଂଚିତ ସପ୍ତଧାରା । ନବୀନ ସରକାରଙ୍କ ୫ ବର୍ଷ ସରିଗଲା ହେଲେ ବି ସପ୍ତଧାରା ପର୍ଯ୍ୟଟନ ମାନଚିତ୍ରରେ ନିଜର ଜାଗା ବନେଇ ପାରିଲା ନାହିଁ । ଏଥିପାଇଁ ଦାୟୀ କିଏ ? ନିଜେ ପୂର୍ବତନ ମୁଖ୍ୟମନ୍ତ୍ରୀ ନା ପୂର୍ବତନ ଚିତ୍ରକୋଣ୍ଡା ବିଧାୟକ ।
ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୯ ମସିହାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକେପ୍ଟରରେ ମାଲକାନଗିରି ଜିଲ୍ଲାକୁ ଆସିଥିଲେ । କାର୍ଯ୍ୟକ୍ରମ ସାରି ଫେରୁଥିବା ସମୟରେ ତାଙ୍କର ନଜର ପଡିଥିଲା ଗୋବିନ୍ଦପାଲି ପାଖରେ ଥିବା ସପ୍ତଧାରା ନଦୀ ଉପରେ । ସପ୍ତଧାରା ନଦୀର ମନୋରୋମ ଦୃଶ୍ୟକୁ ଆକାଶ ମାର୍ଗରୁ ନିରୀକ୍ଷଣ କରି ମନମୁଗ୍ଧ ହୋଇଯାଇଥିଲେ ସେ ଏବଂ କିଛି ଫଟୋ ନେଇ ଟୁଇଟ୍ କରିଥିଲେ । ତାକୁ ନେଇ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ଯେ, ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ଓଡିଶା ସରକାର ସପ୍ତଧାରାକୁ ପର୍ଯ୍ୟଟନସ୍ଥଳୀ କରିବେ ବୋଲି । ମାଲକାନଗିରି ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଥିଲା, କିନ୍ତୁ ଇତିମଧ୍ୟରେ ୫ ବର୍ଷ ବିତି ଯାଇଥିଲେ ସୁଦ୍ଧା ପୂର୍ବ ସରକାର କିମ୍ବା ବର୍ତମାନର ସରକାର ଏନେଇ କୌଣସି ପଦକ୍ଷେପ ନେଇନାହାଁନ୍ତି ।
ଏଠାରେ ଅନେକ ସମୟରେ ପର୍ଯ୍ୟଟକ ମାନେ ଆସନ୍ତି ଏବଂ ଭୋଜି ଭାତର ଆସର ଜମିଥାଏ । ଯାତ୍ରୀମାନେ ମଧ୍ୟ ଗାଡି ରଖି କିଛି ସମୟ ଏହି ପର୍ଯ୍ୟଟନସ୍ଥଳୀରେ ବୁଲାବୁଲି କରିବା ସହ ସପ୍ତଧାରା ନଦୀର ସୌନ୍ଦର୍ଯ୍ୟ ଉପଭୋଗ କରିଥାନ୍ତି । ଯଦି ଏହି ଜାଗାର ଉନ୍ନତି ପ୍ରକୃତରେ ପର୍ଯ୍ୟଟନର ବିକାଶ ପାଇଁ କରାଯାଇଥାନ୍ତା ତାହେଲେ ଆଖପାଖ ରାଜ୍ୟର ଲୋକ ବି ଏଠାକୁ ଆସିପାରନ୍ତେ ଏବଂ ଏଠାକାର ବ୍ୟବସାୟ ଉପରେ ବହୁତ ଭଲ ପ୍ରଭାବ ପଡନ୍ତା । ସପ୍ତଧାରା ଆଜି ପର୍ଯ୍ୟନ୍ତ ପର୍ଯ୍ୟଟନ ମାନଚିତ୍ରରେ ନିଜର ଜାଗା ବନେଇ ପାରିଲା ନାହିଁ । ତେବେ ଦେଖିବାକୁ ବାକି ରହିଲା ବର୍ତମାନର ମୋହନ ସରକାର ଆଗାମୀ ଦିନରେ ସପ୍ତଧାରାକୁ ଏକ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ଦେଉଛନ୍ତି କି ନାହିଁ।