କେନ୍ଦୁଝର– ଶନିବାର ରାତିରୁ ଅନ୍ଧାରରେ ରହିଛି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ । ଯାହାକୁ ନେଇ ହନ୍ତସନ୍ତ ହୋଇଛନ୍ତି ରୋଗୀ । ବିଦ୍ୟୁତ ସରବରାହ ବିଚ୍ଛିନ୍ନ ଯୋଗୁଁ ରାତି ୧ଟାରୁ ଅନ୍ଧାରରେ ରହିଛି ହସ୍ପିଟାଲ । ବିଦ୍ୟୁତ କାଟ୍ ପରେ ଜେନେରେଟର ପ୍ରାୟ ଘଂଟାଏ ପର୍ଯ୍ୟନ୍ତ ଚାଲିଥିଲା । ହେଲେ ତେଲ ସରିଯିବାରୁ ଏହା ବନ୍ଦ ହୋଇଯାଇଥିଲା । ଫଳରେ ଅନ୍ଧକାର ହୋଇପଡିଥିଲା ଡାକ୍ତରଖାନା । ଅନ୍ୟପକ୍ଷରେ ଏନେଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ କର୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ଏଠାରେ ଉଲ୍ଲେଖଯୋଗ୍ୟ, ଅନେକ ସମୟରେ ଏଠାରେ ଜେନେରେଟରୁ ତେଲ ସରିଯିବାର ନଜିର ରହିଛି । ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ରୋଗୀ କଲ୍ୟାଣ ପାଣ୍ଠିରେ ଲକ୍ଷ ଲକ୍ଷ ଟଙ୍କା ରହିଥିବା ବେଳେ ସାଧାରଣତଃ ଜେନେରେଟରରେ ଆବଶ୍ୟକ ତେଲ ଯୋଗାଇବାରେ ଅସମର୍ଥ ହେଉଛନ୍ତି । ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବାରମ୍ବାର ଏପରି ଘଟଣା ଘଟୁଥିବାରୁ ରୋଗୀ କଲ୍ୟାଣ ଅର୍ଥ କାହା କଲ୍ୟାଣରେ ଲାଗୁଛି ବୋଲି ବୁଦ୍ଧିଜିବୀ ମହଲରେ ପ୍ରଶ୍ନ ହୋଇଛି ।