ରାଂଚି- ଝାଡ଼ଖଣ୍ଡରେ ଝାଡ଼ଖଣ୍ଡ ସ୍ନାତକ ସ୍ତରିୟ ସଂଯୁକ୍ତ ପ୍ରତିଯୋଗିତା ପରୀକ୍ଷା (ଜେଜିଜିଏଲସିସିଇ)କୁ ଦୃଷ୍ଟିରେ ରଖି ଶନିବାର ସକାଳ ୮ଟା ଠାରୁ ଅପରାହ୍ନ ୧ଟା ୩୦ ପର୍ଯ୍ୟନ୍ତ ଇଂଟରନେଟ୍ ସେବା ବନ୍ଦ କରାଯାଇଥିଲା । ରବିବାର ମଧ୍ୟ ସମାନ ସ୍ଥିତି ରହିବ ।
ସରକାର ଶୁକ୍ରବାର କହିଥିଲେ ଯେ, ଏହି ପରୀକ୍ଷାକୁ ଦୃଷ୍ଟିରେ ରଖି ଶନିବାର ଓ ରବିବାର ସକାଳ ୮ଟା ଠାରୁ ଅପରାହ୍ନ ୧ଟା ୩୦ ପର୍ଯ୍ୟନ୍ତ ଇଂଟରନେଟ୍ ସେବା ବନ୍ଦ କରିବାକୁ ନିଷ୍ପତି ହୋଇଛି । ଏହାପରେ ଗୃହ କାରା ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରଧାନ ସଚିବ ବନ୍ଦନା ଦାଦେଲ ମଧ୍ୟ ଇଂଟରନେଟ୍ ସେବା ନିଲମ୍ବନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ସମଗ୍ର ରାଜ୍ୟରେ ୮୨୩ ପରୀକ୍ଷା କେନ୍ଦ୍ର କରାଯାଇଛି । ରାଜ୍ୟରେ ପ୍ରାୟ ୬ ଲକ୍ଷ ୪୦ ହଜାର ପ୍ରାର୍ଥୀ ଏହି ପରୀକ୍ଷାରେ ସାମିଲ୍ ହୋଇଛନ୍ତି । ଗୃହ ବିଭାଗର ନିର୍ଦ୍ଦେଶରେ କୁହାଯାଇଛି ଯେ, ମୋବାଇଲ ଫୋନ୍, ଇଂଟରନେଟ୍ ମିଡ଼ିଆ, ହ୍ୱାଟସ୍ ଆପ, ଏକ୍ସ, ଟେଲିଗ୍ରାମ ଏବଂ ୟୁ-ଟ୍ୟୁବ ଇତ୍ୟାଦି ମାଧ୍ୟମରେ ପେପର୍ ଲିକ୍ ନେଇ ପୂର୍ବରୁ ଅନେକ ଅଭିଯୋଗ ରହିଛି । ଏଥିପାଇଁ ଇଂଟରନେଟ୍ ସେବା ନିଲମ୍ବନ କରିବାକୁ ନିଷ୍ପତି ହୋଇଛି ।