ପୁରୀ- ତିନି ଦିନ ଧରି ଚାଲିବାକୁ ଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଂଚ୍ ପ୍ରକ୍ରିୟାର ଶନିବାର ପ୍ରଥମ ଦିନ ଯାଂଚ୍ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଜି ଦ୍ଵିତୀୟ ଦିନ ଯାଂଚ୍ କରାଯିବ । ଯାଂଚ୍ ସମ୍ପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ଯେ, ଟେକ୍ନିକାଲ ସର୍ଭେ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି, ଆଜି ପୁଣି କାର୍ଯ୍ୟ ଜାରି ରହିବ । ଆଉ ଦୁଇ ଦିନ ଧରି ଏହି ସର୍ଭେ ହେବା ନେଇ ଏସଓପିରେ ଉଲ୍ଲେଖଥିବାରୁ ରବିବାର ଓ ସୋମବାର ମଧ୍ୟ ଶ୍ରୀମନ୍ଦିର ନୀତିକାନ୍ତି ଓ ଦର୍ଶନ କଟକଣା ରହିବ ।
ଗତକାଲି ଭାରତୀୟ ପ୍ରତ୍ନତତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଓ ବିଶେଷଜ୍ଞ ଟିମ୍ ପ୍ରଥମ ଦିନରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଂଚ୍ କରିଥିଲେ । ଶନିବାର ପ୍ରଥମ ଦିନରେ ୩ ଘଂଟା ୫୦ ମିନିଟ୍ ସର୍ଭେ କାର୍ଯ୍ୟ ହୋଇଥିଲା । ନିର୍ଦ୍ଧାରିତ ୩ ଦିନରେ କାମ ଶେଷ ହେବ ବୋଲି ଆଶା କରାଯାଉଥିବା କହିଛନ୍ତି ତଦାରଖ କମିଟି ମୁଖ୍ୟ ଜଷ୍ଟିସ୍ ବିଶ୍ୱନାଥ ରଥ ।
ସୂଚନା ଅନୁଯାୟୀ, ଗତକାଲି ଏନଜିଆରଆଇର ତିନି ଜଣ ବୈଜ୍ଞାନିକ ଏବଂ ଏଏସଆଇ ର ତିନି ଜଣ ବିଶେଷଜ୍ଞଙ୍କ ଟିମ୍ ଓ ଦୁଇଟି କଂଟ୍ରୋଲ ୟୁନିଟ୍, ତିନୋଟି ରାଡାର ୟୁନିଟ୍ ଏବଂ ଗୋଟିଏ କାର୍ଟ ମାଧ୍ୟମରେ ସର୍ଭେ କରାଯାଇଥିଲା । ୨୪ ତାରିଖ ସୁଦ୍ଧା ଏହାର ଚୂଡ଼ାନ୍ତ ରିପୋର୍ଟ ଆସିବ । ତଦାରଖ କମିଟିର ଏହି ରିପୋର୍ଟକୁ ଆଧାର କରି ଭିତର ରତ୍ନଭଣ୍ଡାରର ମରାମତି କରାଯିବ । ଏହି ଯାଂଚ୍ ନେଇ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ପୂର୍ବରୁ ୧୭ ଜଣିଆ କମିଟି ଗଠନ କରାଯାଇଛି । ସେଥିରେ କେନ୍ଦ୍ର ସରକାରଙ୍କ ଦୁଇଟି ବୈଷୟିକ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ସାମିଲ୍ ଅଛନ୍ତି । ତେବେ ଶନିବାର ଠାରୁ ଆରମ୍ଭ ହୋଇଥିବା ଏହି ଯାଂଚ୍ କାର୍ଯ୍ୟ ଅପରାହ୍ନ ୨ଟା ଠାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲୁଛି । ତାହାକୁ ଦୃଷ୍ଟିରେ ରଖି ଶ୍ରୀଜୀଉଙ୍କ ନୀତିକାନ୍ତି ସଅଳ କରାଯାଉଛି । ଏଥିପାଇଁ ଅପରାହ୍ନ ୧ଟା ଠାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହୁଛି । ଆଗାମୀ ୨୪ ତାରିଖରୁ ଶ୍ରୀଜଗନ୍ନାଥ ମନ୍ଦିରରେ ଶାରଦୀୟ ଦୂର୍ଗାପୂଜା ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ଶ୍ରୀଜୀଉଙ୍କ କେତେକ ବିଶେଷ ନୀତିକାନ୍ତି ରହିଛି । ତେଣୁ ଏହା ପୂର୍ବରୁ ରତ୍ନଭଣ୍ଡାର ଯାଂଚ୍ ପ୍ରକ୍ରିୟା ଶେଷ କରାଯିବ ।