ଧର୍ମଶାଳା- ବିଭିନ୍ନ ଗ୍ୟାସ କମ୍ପାନୀ ଗ୍ରାହକମାନଙ୍କୁ ଉତମ ସେବା ଯୋଗାଇ ଦେବାକୁ ପ୍ରତିଶୃତି ଦେଉଛନ୍ତି । ସମସ୍ତ କମ୍ପାନୀ ଗ୍ରାହକମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସେବା ଯୋଗାଇ ଦେଉଛନ୍ତି । କିଛି ଦିନ ପରେ ଗ୍ରାହକମାନଙ୍କୁ ଶୋଷଣ କରିବା ସହ ହଇରାଣ ହରକତ କରୁଥିବା ଦେଖିବାକୁ ମିଳିଛି । ଫଳରେ ଗ୍ରାହକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କମ୍ପାନୀ ବିରୋଧରେ ସ୍ଵର ଉଠାଇଛନ୍ତି ଗ୍ରାହକ । ଅନ୍ୟପକ୍ଷରେ ସରକାର ଗ୍ରାହକମାନଙ୍କୁ ଉନ୍ନତ ସେବା ଯୋଗାଇ ଦେବା ନେଇ ପ୍ରଚାର ପ୍ରସାର କରୁଛନ୍ତି, କିନ୍ତୁ ବାସ୍ତବରେ ତାହା ପ୍ରଚାରରେ ସୀମିତ ରହୁଛି । ଗ୍ୟାସ କମ୍ପାନୀକୁ ନେଇ ଯାଜପୁର ଜିଲାରେ ଗ୍ରାହକ ଅସନ୍ତୋଷ ହେବାର ଦେଖିବାକୁ ମିଳିଛି ।
ଯାଜପୁର ଜିଲାରେ ୧ ବର୍ଷ ପୂର୍ବ ବିଭିନ୍ନ ବ୍ଲକରେ ଗ୍ରାମୀଣ ବିତରଣ କେନ୍ଦ୍ର କରି ଥିଲା ତୋଷାଳୀ ଇନ୍ଧନ ଗ୍ୟାସ କମ୍ପାନୀ । ଗ୍ରାହକମାନଙ୍କୁ ବିଭିନ୍ନ ଲୋଭନୀୟ ଯୋଜନା ଦେଖାଇ ସେମାନଙ୍କୁ ଗ୍ରାହକ କରାଇ ସେମାନଙ୍କ ଠାରୁ ୯ ହଜାର ୫ଶହ ଟଙ୍କା ନେଇଛି । ଗ୍ରାହକଙ୍କୁ ଗୋଟିଏ ଟାଙ୍କି, ଚୂଲା, ଲାଇଟର, ରେଗୁଲେଟର ଓ ପାଇପ ଯୋଗାଇ ଦେଇଥିଲା । ପ୍ରଥମ ୩ ମାସ ଲୋକଙ୍କ ଖାତାକୁ ସବସିଡ ଆସିଲା । ଏବେ ଜିଲାର ବିଭିନ୍ନ ବ୍ଲକରେ ଗାହକମାନଙ୍କୁ ଗ୍ୟାସ ଯୋଗାଇ ଦିଆଯାଉନାହିଁ । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେୂଉନ୍ତି । ଏପରିକି ଅନେକ ସ୍ଥାନରେ ଥିବା ଗ୍ୟାସ ଡିପୋ ବନ୍ଦ ହୋଇଗଲାଣି । ଫଳରେ ଗରୀବ ଲୋକେ ନାହିଁ ନ ଥିବା ଅସବୁିଧାରେ ସମ୍ମୁଖୀନ ହେଉଛନ୍ତି । ଏନେଇ କମ୍ପାନୀ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ଗ୍ରାହକମାନେ ସେମାନଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି । କମ୍ପାନୀ ସେମାନଙ୍କୁ କୌଣସି ପ୍ରମାଣ ପତ୍ର ନ ଦେଇ କେବଳ ମନି ରସିଦ ଦେଇ ଦେଇଛି । ଗ୍ୟାସ ନ ମିଳିବାରୁ ଶତାଧିକ ତୋଷାଳୀ ଇନ୍ଧନ ଗ୍ୟାସର ଗାହକମାନେ ହଇରାଣ ହରକତ ହେଉଛନ୍ତି । ଏ ଦିଗରେ କମ୍ପାନୀ ତୁରନ୍ତ ଦୃଷ୍ଟି ନ ଦେଲେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ ବୋଲି ସଭଦ୍ରା ଜେନା,ତୋଫାନ ରଞ୍ଜନ କର ଓ ନାରାୟଣ ଦାସ ପ୍ରମୁଖ କହିଛନ୍ତି ।