ହରିଚନ୍ଦନପୁର– କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ସାପ୍ତାହିକ ହାଟରେ କାଦୁଅ ସଲବଲରେ ଜନସାଧାରଣ ଘାଣ୍ଟି ହେଉଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ବେ ଆରଏମସି କର୍ତୃପକ୍ଷଙ୍କ ଦୃଷ୍ଟି ପଡୁନାହିଁ । ଏଠାରେ ପ୍ରଶ୍ନ ଉଠୁଛିଯେ, ହରିଚନ୍ଦନପୁର ଗ୍ରାମପଞ୍ଚାୟତ ଠାରୁ ୯୯ ବର୍ଷ ପାଇଁ ଆରଏମସି ଦୀର୍ଘ ବର୍ଷ ହେବ ନେଇଛି । ଯାହାକି ବାର୍ଷିକ କିଛି ଟଙ୍କା ଗ୍ରାମପଞ୍ଚାୟତକୁ ଦେବା ସହ ହାଟ ମଧ୍ୟରେ ଉନ୍ନତିମୂଳକ କାର୍ଯ୍ୟ ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇ ଚୂକ୍ତିନାମା ହୋଇଛି । ଆରଏମସି କର୍ତୁପକ୍ଷ ପ୍ରତ୍ୟେକ ଦିନ ହାଟରେ ରସିଦ ଦେଇ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ମାଲେମାଲ ହେଉଥିବା ବେଳେ ହନ୍ତସନ୍ତ ହେଉଛନ୍ତି ବେପାରୀ ସହ ଜନସାଧାରଣ । ଦୁର୍ଭାଗ୍ୟର ବିଷୟ ହାଟର ଚର୍ତୁପାର୍ଶ୍ବ ଦେଖିଲେ ସେହିଭଳି କିଛି ଉନ୍ନତିମୂଳକ କାର୍ଯ୍ୟ ହୋଇଥିବା ଆଜି ପର୍ଯ୍ୟନ୍ତ ଦେଖିବାକୁ ମିଳେନାହିଁ । ଯଦିଓ ଦୀର୍ଘବର୍ଷ ପରେ ହାଟ ମଧ୍ୟରେ ପାଇଖାନା ନିର୍ମାଣ କରାଯାଇଛି, ହେଲେ ତାହା ମନେ ହୁଏ କେବଳ ଲୋକ ଦେଖାଣିଆ, କାରଣ ନିର୍ମାଣ ପରଠାରୁ ସେଥିରେ ତାଲା ପଡି଼ ରହିଛି । ସେହିଭଳି ସୁରକ୍ଷାକୁ ଦୃଷ୍ଟିରେ ରଖି ପଞ୍ଚାୟତ ନିର୍ମିତ ଚର୍ତୃପାର୍ଶ୍ବ ପାଚେରୀ ଅଧାଖଣ୍ଡିଆରେ ନିଲାମ ପୂର୍ବରୁ ପଡ଼ିରହିଛି, ହେଲେ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନାହିଁ । ସେହିପରି ହାଟ ମଧ୍ୟକୁ ଯିବା ଆସିବା ପାଇଁ ରହିଥିବା ରାସ୍ତାର କଥା ନକହିବା ଭଲ, କାରଣ ସେ ଦୃଶ୍ୟ ଦେଖିଲେ ଜାଣିବ ତ କାଦୁଅ ବିଲରେ ଲୋକେ ତଳି ପକାଉଛନ୍ତି । ହାଟ ମଧ୍ୟରେ ବେପାରୀଙ୍କ ବସିବା ପାଇଁ ନିର୍ମିତ ହୋଇଥିବା ପିଣ୍ଡି ଗୁଡ଼ିକର ମରାମତି କରାଯାଉନଥିବା କାରଣରୁ ବେପାରୀମାନେ ବସିବା ପାଇଁ ନାହଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ହାଟ ମଧ୍ୟରେ ପାନୀୟ ଜଳ ନିମନ୍ତେ ୪ଟି ନଳକୂପ ରହିଛି ସତ, ହେଲେ ସେଥିରୁ ଗୋଟିଏ ସମ୍ପୂର୍ଣ୍ଣ ଅଚଳ ଥିବା ବେଳେ ଅନ୍ୟଗୁଡିକ ଅବସ୍ଥା ବହୁତ ଖରାପ । ହାଟ ମଧ୍ୟରେ ଗୋରୁ, ଗାଈ, ଛେଳି, ମେଣ୍ଢା, କୁକୁଡା ହାଟ କିଣା ବିକାରେ ମୋଟା ଅଙ୍କର ଆଦାୟ ହେଉଥିବା ସତ୍ବେ ସେମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ନାହଁ, ଯଦିଓ କୁଣ୍ଡ ନିର୍ମାଣ ହୋଉଥିଲା ରକ୍ଷଣାବେକ୍ଷଣ ଅଭାବରୁ ତାହା ଭାଙ୍ଗି ନଷ୍ଟ ହୋଇଯାଇଛି । ହାଟ ନିକଟରେ ମଦ ଦୋକାନ ଥିବା ଯୋଗୁଁ ହାଟ ପରିବେଶ ଅଳିଆ ଆବର୍ଜ୍ଜନାରେ ପରିପୂର୍ଣ୍ଣ ହେଉଛି, ତାହାକୁ ସଠିକ୍ ଭାବେ ପରିସ୍କାର କରାଯାଉନାହିଁ । ହାଟର ପରିବେଶ ଏତେ କଦର୍ଯ୍ୟ ଯେ ଲୋକ ଯିବାପାଇଁ ମୁହଁ ବୁଲାଉଥିବା ଦେଖିବାକୁ ମିଳିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ହାଟର ସୁରକ୍ଷାକୁ ଦୃଷ୍ଟିରେ ରଖି ଚର୍ତୃପାର୍ଶ୍ବ ପାଚେରୀ ନିର୍ମାଣକୁ ସମ୍ପୂର୍ଣ୍ଣ କରାଯାଇ, ଆବଶ୍ୟକ ରାସ୍ତାରେ ଫାଟକ ଲଗାଯିବାର ନିହାତି ବ୍ୟବସ୍ଥା କରାଯାଉ । ଏଥିସହ ହାଟ ପରିବେଶର ପରିସ୍କାର ରଖାଯାଇ ସମସ୍ୟା ଥିବା କାର୍ଯ୍ୟର ଶିଘ୍ର ସମାଧାନ କରାଇବାକୁ ଏଠାକାର ଜନସାଧାରଣ ଓ ବୁଦ୍ଧିଜୀବି ଅନୁରୋଧ ସହ ଦାବି କରିଛନ୍ତି ।
Related Stories
November 21, 2024
November 21, 2024