ଭୁବନେଶ୍ୱର – ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମୁଖ୍ୟମନ୍ତ୍ରୀଙ୍କୁ ପତ୍ରଦ୍ୱାରା ଅନୁରୋଧ କରିଛନ୍ତି ଯେ ସିଏଏ ଓ ଏନପିଆରକୁ ଦେଥିବା ସମର୍ଥନକୁ ପ୍ରତ୍ୟାହାର କରିନିଅନ୍ତୁ । ସେ କହିଛନ୍ତି ଯେ ଆପଣଙ୍କ ଦଳ ବିଜେଡି ନାଗରିକ ସଂଶୋଧନ ଆଇନ୍(ସିଏଏ) ଓ ଜାତୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର)କୁ ସମର୍ଥନ ଦେଇଛନ୍ତି । ଏନଆରସିର ଅନ୍ୟନାମ ଏନପିଆର । ଏହି ଆଇନ୍ ଦେଶର ସମ୍ବିଧାନର ସମ୍ପୂର୍ଣ୍ଣ ବିରୋଧି । ଦେଶର ସବୁ ବର୍ଗର ଲୋକେ ଏହି ଆଇନକୁ ଘୋର ବିରୋଧ କରୁଛନ୍ତି । ବିଶେଷକରି ଯୁବକ ଛାତ୍ର ଏହାର ପ୍ରତିବାଦରେ ସମଗ୍ର ଦେଶରେ ସବୁଠୁ ଆଗରେ ।
ଭାରତର ସମ୍ବିଧାନରେ ସ୍ପଷ୍ଟ ଯେ ଧର୍ମକୁ ଭିତିକରି କୌଣସି ଆଇନ ପ୍ରଣୟନ କରାଯାଇ ପାରିବା ନାହିଁ । ଏହା ଭାରତର ମୂଳ ଭାବନାର ସମ୍ପୂର୍ଣ୍ଣ ପରିପନ୍ଥୀ । ଦେଶର ସ୍ୱାଧିନତା ସଂଗ୍ରାମର ମହାନ ପରମ୍ପରା ହିଁ ସମ୍ବିଧାନ ରଚନାର ଆଧାରଶୀଳା । ସବୁ ଧର୍ମ, ସବୁ ବର୍ଣ୍ଣ, ସବୁ ଭାଷାର ସମନ୍ୱୟରେ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଭାବେ ସମଗ୍ର ବିଶ୍ୱର ଆମର ଏକ ସ୍ୱତନ୍ତ୍ର ପରିଚୟ । ସ୍ୱାମୀ ବିବେକାନନ୍ଦ ଆମେରିକାର ଚିକାଗୋ ଧର୍ମସମ୍ମିଳନୀରେ ଭାରତର ମୂଳ ଭାବନାକୁ ସ୍ପଷ୍ଟଭାବେ ସମଗ୍ର ବିଶ୍ୱ ନିକଟରେ ରଖିଥିଲେ । ବିଶ୍ୱ ଭାତୃତ୍ୱର କେନ୍ଦ୍ରବିନ୍ଦୁ ହେଉଛି ଭାରତବର୍ଷ । ଆଜି ସେହି ପରମ୍ପରା ଓ ପରିଚୟକୁ ଲିଭାଇବାକୁ ଏକ ଅପଚେଷ୍ଟା ଚାଲିଛି ବୋଲି କହିଛନ୍ତି ।