
ଶିମଲା-ହିମାଚଳ ପ୍ରଦେଶରେ ହୋଇଥିବା ପ୍ରବଳ ବର୍ଷା ଯୋଗୁ ଲୋକଙ୍କ ସମସ୍ୟା ବଢିଛି । ଶିମଲା, ମଣ୍ଡି ଏବଂ କାଂଗଡା ଜିଲ୍ଲାରେ ଭୁସ୍ଖଳନ ଯୋଗୁ ବହୁ ରାସ୍ତା ଅବରୋଧ ହେବାରୁ ପରିବହନ ବ୍ୟବସ୍ଥା ବ୍ୟାହତ ହୋଇଛି। ଜନଜାତୀୟ ଜିଲ୍ଲା କିନ୍ନୋର ଏବଂ ଲାହୋଲ-ସ୍ପୀତିରେ ବରଫପାତ ହେବାରୁ ବ୍ଲାକଆଉଟ ପରିସ୍ଥିତି ଦେଖାଦେଇଛି । ଖୁସିର କଥା ହେଉଛି ବର୍ତ୍ତମାନ ରାଜ୍ୟରେ ବର୍ଷା ଏବଂ ବରଫପାତ ବନ୍ଦ ହୋଇଯାଇଛି । ରାଜଧାନୀ ଶିମଲା ସମେତ ଅନ୍ୟ ସହରରେ ଶନିବାର ଖରା ହୋଇଛି । ପାଣିପାଗ ବିଭାଗ ଆଗାମୀ ଛଅ ଦିନ ମୌସୁମୀ ଦୁର୍ବଳ ଯୋଗୁ ବର୍ଷାର ସମ୍ଭାବନା ନାହିଁ ବୋଲି ସୁଚନା ଦେଇଛି। ଆଗାମୀ 20 ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାକୁ ନେଇ କୌଣସି ପ୍ରକାର ସତର୍କ ସୁଚନା ଜାରି କରାଯାଇନାହିଁ। ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରର ରିପୋର୍ଟ ଅନୁସାରେ ଭୁସ୍ଗଳନ ହେତୁ ରାଜ୍ୟରେ ଗୋଟିଏ ଜାତୀୟ ରାଜପଥ ଏବଂ 155 ଟି ରାସ୍ତା ଅବରୋଧ ରହିଛି । କିନ୍ନୋର ଜିଲ୍ଲାର ମଲିଂଗ ନାଲା ନିକଟରେ 5 ନମ୍ବର ଜାତୀୟ ରାଜପଥ ସମ୍ପୁର୍ଣ୍ଣ ବନ୍ଦ ରହିଛି। ଶିମଲା ଜିଲ୍ଲାରେ 94ଟି ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଛି। କେବଳ ଜୁବ୍ବଲ ସବଜିଭିଜନରେ 61 ଟି ରାସ୍ତା ବନ୍ଦ ଥିବାବେଳେ ରୋହଡୁରେ 16 ଏବଂ କୋଟଖାଇରେ 13ଟି ରାସ୍ତା ବନ୍ଦ ରହିଛି। ମଣ୍ଡି ଜିଲ୍ଲାରେ 46, କାଂଗଡାରେ 10, କୁଲ୍ଲୁରେ 3 ଏବଂ ସିରମୋରରେ ଗୋଟିଏ ରାସ୍ତା ଅବରୋଧ ରହିଛି ।