ଭୁବନେଶ୍ୱର – ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଉତରପ୍ରଦେଶ ରାଜଧାନୀ ଲକ୍ଷେ୍ନ ଠାରେ ଆୟୋଜିତ ସପ୍ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ(ଭାରତ ଅଂଚଳ) ସମ୍ମିଳନୀରେ ଯୋଗଦେଇଛନ୍ତି । ଲକ୍ଷ୍ନୌ ବିଧାନଭବନରେ ଆୟୋଜିତ ଏହି ସମ୍ମିଳନୀରେ ଲୋକସଭା ଓ ରାଜ୍ୟ ବିଧାନସଭାର ଉପଯୁକ୍ତ ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ସମ୍ମିଳନୀରେ ଦେଶର ସମ୍ବିଧାନ ଓ ବିଧାନସଭା ପରିଚାଳନା ନିୟମାବଳୀ ଅନୁଯାୟୀ ଗୃହ ପରିଚାଳନା ଠିକ୍ ଭାବେ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ସମ୍ପର୍କରେ ମଧ୍ୟ ଆଲୋଚନା ହେବା ସହିତ ସଂଶୋଧିତ ନିୟମାବଳୀ ପ୍ରଣୟନ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସାଂସଦ, ବିଧାୟକ ଓ ଗୃହର କର୍ମଚାରୀମାନଙ୍କୁ ଗୃହ ପରିଚାଳନାରେ ସହାୟତା ପ୍ରଦାନ, ଉତମ ପ୍ରଶାସନ ସମ୍ପର୍କିତମାନକ ଚିହ୍ନଟୀକରଣ ତଥା ରାଜ୍ୟଗୋଷ୍ଠୀର ମୂଲ୍ୟବୋଧକୁ କାର୍ଯ୍ୟାନ୍ୱୟନ କରିବା ଆଦି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ।
ଏହି ସମ୍ମିଳନୀକୁ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୁଖ୍ୟତଃ ଏହି ସମ୍ମିଳନୀରେ ବିଧାୟକମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା । ପୂର୍ଣ୍ଣ ଅଧିବେଶନ ଅବସରରେ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ଅନ୍ୟତମ ସଦସ୍ୟ ଭାବେ ଯୋଗଦେଇ ବାଚସ୍ପତି ଡ. ପାତ୍ର ବଜେଟ୍ ପ୍ରସ୍ତାବ ସମୀକ୍ଷା ନିମିତ ବିଧାୟକମାନଙ୍କ ସାମର୍ଥ୍ୟ ବୃଦ୍ଧି ଓ ବିଧାୟୀ କାର୍ଯ୍ୟରେ ବିଧାୟକମାନଙ୍କ ଧ୍ୟାନ ପରିବର୍ଦ୍ଧନ ବିଷୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଏହି ସମ୍ମିଳନୀରେ ସମସ୍ତ ରାଜ୍ୟର ବାଚସ୍ପତି, ଉପ ବାଚସ୍ପତି, ବିଧାନସଭାର ପ୍ରମୁଖ ସଚିବ/ସଚିବଙ୍କ ସମେତ ଅଷ୍ଟ୍ରେଲିଆ ଓ ଦକ୍ଷିଣ-ପୂର୍ବ ଏସିଆ ଅଂଚଳର ପ୍ରତିନିଧିମାନେ ଯୋଗ ଦେଇଛନ୍ତି ।
ଏହି ସମ୍ମିଳନୀକୁ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ, ଉତରପ୍ରଦେଶ ଶାଖା ଦ୍ୱାରା ଆୟୋଜନ କରାଯାଉଛି । ୧୮ ତାରିଖରେ ବାଚସ୍ପତି ଡ. ପାତ୍ର ଭୁବନେଶ୍ୱର ପ୍ରତ୍ୟାବର୍ତନ କରିବେ ।
ଡ. ପାତ୍ରଙ୍କ ନେତୃତ୍ୱରେ ଗଠିତ ପ୍ରତିନିଧି ମଣ୍ଡଳରେ ଉପ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ ଓ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ପ୍ରମୁଖ ସାମିଲ ଅଛନ୍ତି ।