ଅନୁଗୋଳ , ଅନୁଗୋଳ ଜିଲ୍ଲା ପ୍ରଶାସନର ଜିଲ୍ଲାପାଳଙ୍କ ନାମରେ ଥିବା ପ୍ରାୟ ୬୦ ଲକ୍ଷ ଟଙ୍କା ହଡାପ କରିବା ଘଟଣାରେ ଜଣେ ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କୁ ଅନୁଗୋଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାରୁ ପ୍ରକାଶ ଯେ ଅନୁଗୋଳ HDFC ବ୍ୟାଙ୍କରେ ଜିଲ୍ଲାପାଳଙ୍କ ନାମରେ ଏକ ଆକାଉଣ୍ଟ ରହିଛି । ଯେଉଁଥିରେ ବିଭିନ୍ନ ସରକାରୀ ଟଙ୍କା ରଖାଯିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସେହି ଟଙ୍କାକୁ ଲଗା ଯାଇଥାଏ । ଏହି ଆକାଉଣ୍ଟରେ ଜିଲ୍ଲାର ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ ନିର୍ମାଣ ଓ ମରାମତି ପାଇଁ ଟାଟା ସ୍ପଞ୍ଜ କମ୍ପାନୀ ପକ୍ଷରୁ ୨୦୧୩ ମସିହା ଜୁଲାଇ ମାସ ୮ ତାରିଖରେ ୫୦ ଲକ୍ଷ ଟଙ୍କା ଡିପୋଜିଟ ହୋଇଥିଲା । ଏହି ଟଙ୍କା ଜିଲ୍ଲା ପ୍ରଶାସନ ପକ୍ଷରୁ ଖର୍ଚ୍ଚ କରାଯାଇ ନଥିଲା । ତେବେ ଗତ କିଛି ଦିନ ତଳେ ଏହି ଆକାଉଣ୍ଟର ଷ୍ଟେଟମେଣ୍ଟ ଅଣାଯିବା ପରେ ଏହି ଆକାଉଣ୍ଟରୁ ୫୯ ଲକ୍ଷ ୪୧ ହଜାର ୪୮୧ ଟଙ୍କା ବିଭିନ୍ନ ସମୟରେ ୮ ଟି ଚେକ ମାଧ୍ୟମରେ ଉଠାଇ ନିଆ ଯାଇଥିବା ଜଣା ପଡିଥିଲା । ଆଉ ଯେଉଁ ଚେକ ମାଧ୍ୟମରେ ଟଙ୍କା ଉଠା ଯାଇଥିଲା ସେହି ଚେକ ବହି ପାଇଁ ଦିଆ ଯାଇଥିବା ଦରଖାସ୍ତ ମଧ୍ୟ ଜାଲି ଥିବା ଜଣା ପଡିଥିଲା । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଚେକରେ ଏହି ସବୁ ଟଙ୍କା ଉଠା ଯାଇ ନଥିବା ଜଣା ପଡିବା ପରେ ଜିଲ୍ଲାପାଳ ଏ ସମ୍ପର୍କରେ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅନୁଗୋଳ ପୋଲିସ ଘଟଣାର ତଦନ୍ତ କରି ସେତେବେଳେ ଏହି ବ୍ୟାଙ୍କରେ ମ୍ୟାନେଜର ଥିବା ଶକ୍ତି ବେଦାନ୍ତ ଦାସଙ୍କୁ ଭୁବନେଶ୍ଵରରୁ ଆଣି ପଚରାଉଚୁରା କରିଥିଲା । ଆଉ ମ୍ୟାନେଜର ଶକ୍ତି ନିଜେ ଦରଖାସ୍ତ ଦେଇ ଚେକ ବୁକ ଆବେଦନ କରିବା ସହ ସେହି ଚେକ ବହିର ୮ ଟି ଚେକରେ ଏହି ସବୁ ଟଙ୍କା ଉଠାଇ ନେଇଥିବା ଜଣା ପଡିଥିଲା । ମ୍ୟାନେଜର ଶକ୍ତି ବେଦାନ୍ତ ଦାସ ୭.୧୨.୧୭ ତାରିଖରେ ୮ ଲକ୍ଷ ଟଙ୍କା ୧୮.୧୨.୧୭ରେ ୮ ଲକ୍ଷ , ୩.୧.୧୮ରେ ୮ ଲକ୍ଷ ୭୦ ହଜାର ଟଙ୍କା , ୧୦.୧.୧୮ ରେ ୭ ଲକ୍ଷ ୬୦ ହଜାର , ୨୯.୧.୧୮ ରେ ୮ ଲକ୍ଷ ୬୦ ହଜାର , ୧୫.୨.୧୮ ରେ ୮ ଲକ୍ଷ ୨୦ ହଜାର , ୨୭.୩.୧୮ ରେ ୬ ଲକ୍ଷ ୮୦ ହଜାର ଟଙ୍କା ଓ ୩.୫.୧୮ ତାରିଖରେ ୩ ଲକ୍ଷ ୫୧ ହଜାର ୪୮୧ ଟଙ୍କା ଉଠାଇ ନେଇଥିଲେ । ଆଉ ପରବର୍ତୀ ସମୟରେ ସେ ଏହି ବ୍ୟାଙ୍କରୁ ଚାକିରି ମଧ୍ୟ ଛାଡି ଦେଇଥିଲେ । ଆଜି ଅନୁଗୋଳ ପୋଲିସ ଶକ୍ତି ବେଦାନ୍ତ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏହି ଟଙ୍କା ହଡପ ଘଟଣାରେ ବ୍ୟାଙ୍କର ଅନ୍ୟ କୌଣସି କର୍ମଚାରୀ କିମ୍ବା ଜିଲା ପ୍ରଶାସନର କୌଣସି କର୍ମଚାରୀଙ୍କ ସମପୃକ୍ତି ଅଛି ନା ନାହିନ ସେ ନେଇ ପୋଲିସ ତଦନ୍ତ କରୁଛି। ତେବେ ଜିଲ୍ଲାପାଳ ଙ୍କ କାଯ୍ୟ ସନ୍ଦେହ ଘେର ରେ ରହିଛି l ସରକାରୀ ଟଙ୍କା ଘରୋଇ ବ୍ୟାଙ୍କ ରେ ରଖିବାର ନିୟମ ନଥିଲେ ବି ଘରୋଇ ବ୍ୟାଙ୍କ ରେ କେମିତି ରଖିଲେ ସରକାରୀ ଟଙ୍କା ଏ ନେଇ ତଦନ୍ତ ହେବା ଅବଶ୍ୟକ ରହିଛି l
Related Stories
November 25, 2024