କଟକ– ବନ୍ଦ ଘର ଭିତରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି । କଟକ ସିଡିଏ ସେକ୍ଟର-୯ ସ୍ଥିତ ଭଡ଼ା ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଅଧ୍ୟାପିକା ଜଣକ ହେଉଛନ୍ତି ଅନନ୍ୟା ଚକ୍ରବର୍ତୀ । ସେ କଟକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଥିଲେ । ତାଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡିଛି ।
ଦୁଇ ଦିନ ହେବ ଅନନ୍ୟା କଲେଜ ଯାଇ ନଥିଲେ । କଲେଜ କର୍ତୃପକ୍ଷ ତାଙ୍କ ଫୋନକୁ କଲ୍ କରିଥିଲେ । ଅନନ୍ୟାଙ୍କ ଫୋନ୍ ରିଙ୍ଗ୍ ହୋଇଥିଲେ ମଧ୍ୟ ସେ ଉଠାଇ ନଥିଲେ । ଗତକାଲି ମଧ୍ୟ କଲେଜ କର୍ତୃପକ୍ଷ ଅଧ୍ୟାପିକାଙ୍କୁ ଫୋନ୍ କରିଥିଲେ । ହେଲେ ଫୋନ୍ ରିଙ୍ଗ୍ ହୋଇ କଟିଥିଲେ ମଧ୍ୟ ସେ ଉଠାଇ ନଥିଲେ । କଲେଜ କର୍ତୃପକ୍ଷ ପୁଲିସକୁ ଘଟଣା ସମ୍ପର୍କରେ ଜଣାଇ ଥିଲେ । ପୁଲିସ ଓ କଲେଜ କର୍ତୃପକ୍ଷ ଭଡ଼ା ଘରେ ପହଂଚି ଅଧ୍ୟାପିକାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଅଧ୍ୟାପିକାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । ତେବେ କିପରି ଓ କେଉଁ ପରିସ୍ଥିତିରେ ଅଧ୍ୟାପିକାଙ୍କର ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ିନାହିଁ । ଅଧ୍ୟାପିକାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ପୁଲିସ ଘଟଣାର ତଦନ୍ତ କରୁଛି । ଘଟଣା ସମ୍ପର୍କରେ ଅଧ୍ୟାପିକା ଅନନ୍ୟାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି ।