ଯାଜପୁର– ଟ୍ରକ୍ ପଛରେ ପିଟିଲା ୧୦୮ ଆମ୍ବୁଲାନ୍ସ । ଫଳରେ ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସର ସହାୟକ ହେମନ୍ତ ଆଚାର୍ଯ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଓ ଫାର୍ମାସିଷ୍ଟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ ମେଡିକାଲକୁ ପଠାଯାଇଛି । ଦୁର୍ଘଟଣା ଏତେ ଜୋରଦାର୍ ଥିଲା ଯେ ଡ୍ରାଇଭର ଆମ୍ବୁଲାନ୍ସ ଭିତରେ ଚାପି ହୋଇ ରହି ଯାଇଥିଲେ । ଖବର ପାଇ ଚଣ୍ଡିଖୋଲ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଗ୍ୟାସ୍ କଟର ସାହାଯ୍ୟରେ ଆମ୍ବୁଲାନ୍ସ ର ଡୋର୍ ଗୁଡିକୁ କାଟି ଡ୍ରାଇଭରକୁ ଉଦ୍ଧାର କରିଛନ୍ତି । ଗୁରୁତର ଅବସ୍ଥାରେ ଡ୍ରାଇଭର ଓ ଫାର୍ମାସିଷ୍ଟଙ୍କୁ ଉଦ୍ଧାର କରାଯାଇଛି । ଉଭୟଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ପଠାଯାଇଛି । ତେବେ ଡ୍ରାଇଭରଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।
ଆନନ୍ଦପୁରରୁ ରୋଗୀଙ୍କୁ ନେଇ କଟକ ଶିଶୁଭବନରେ ଛାଡି ଆଜି ସକାଳେ ଫେରୁଥିବା ବେଳେ ୧୬ ନଂ ଜାତୀୟ ରାଜପଥର ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ରଥିଆ ଛକ ନିକଟରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକ୍ ପଛରେ ଧକ୍କା ଦେଇଥିଲା ଏହି ଆମ୍ବୁଲାନ୍ସ । ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ପୋଲିସ ଘଟଣାର ତଦନ୍ତ କରୁଛି । ଟ୍ରକ୍ ଟିକୁ ପୋଲିସ ଜବତ କରିଛି ।