ନୂଆଦିଲ୍ଲୀ– ଅଷ୍ଟ୍ରେଲିଆ ବିରୁଦ୍ଧରେ ଆଗାମୀ ହ୍ୱାଇଟ ବଲ ସିରିଜ୍ ନିମନ୍ତେ ଇଂଲଣ୍ଡ ଟିମ୍ ରେ ସିଲେକ୍ଟ କରାନଯିବା ପରେ ଇଂଲଣ୍ଡ ର ଷ୍ଟାର ଅଲରାଉଣ୍ଡର ମୋଇନ ଅଲୀ ଆନ୍ତର୍ଜାତିକ କ୍ରିକେଟ୍ ରୁ ସନ୍ୟାସର ଘୋଷଣା କରିଛନ୍ତି । ୧୦ ବର୍ଷର ଲମ୍ବା କ୍ୟାରିୟର ପରେ ସେ ଇଂଲଣ୍ଡ ଟିମ୍ କୁ ଆଲବିଦା କହିଛନ୍ତି ।
ମୋଇନ କହିଛନ୍ତି ଯେ, ସନ୍ୟାସ ନେବା ନିମନ୍ତେ ଏହା ଉପଯୁକ୍ତ ସମୟ । ଯାହାଦ୍ୱାରା ଯୁବକ ମାନଙ୍କୁ ଟିମ୍ ରେ ଅଧିକରୁ ଅଧିକ ସୁଯୋଗ ମିଳିପାରିବ । ମୋଇନ ଡେଲି ମେଲ୍ କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୋତେ ବର୍ତମାନ ୩୭ ବର୍ଷ ବୟସ । ଏବଂ ଚଳିତ ମାସରେ ଅଷ୍ଟ୍ରେଲିଆ ବିରୋଧରେ ହେବାକୁ ଥିବା ସିରିଜ୍ ନିମନ୍ତେ ମୋତେ ଚୟନ କରାଯାଇନାହିଁ । ମୁଁ ଇଂଲଣ୍ଡ ନିମନ୍ତେ ବହୁତ କ୍ରିକେଟ୍ ଖେଳିଛି । ଏବେ ଆଗାମୀ ପିଢ଼ିକୁ ମୌକା ଦେବାର ସମୟ ଆସିଛି । ଯାହା ବାବଦରେ ମୋତେ କୁହାଯାଇଥିଲା ମଧ୍ୟ । ମୋତେ ଲାଗିଲା ଏହି ସମୟ ଉପଯୁକ୍ତ ଅଟେ ।
ଷ୍ଟାର ଅଲରାଉଣ୍ଡର ମୋଇନ ଅଲୀ ୨୦୧୪ ରେ ୱେଷ୍ଟଇଣ୍ଡିଜ୍ ବିରୁଦ୍ଧରେ ନିଜର ଆନ୍ତର୍ଜାତିକ କ୍ରିକେଟରେ ପଦାର୍ପଣ କରିଥିଲେ । ସେ ଇଂଲଣ୍ଡ ନିମନ୍ତେ ୬୮ ଟେଷ୍ଟ, ୧୩୮ ୱାନ ଡେ, ଏବଂ ୯୨ଟି ଟି-୨୦ ଅନ୍ତର୍ଜାତିୟ ମ୍ୟାଚ୍ ଖେଳିଛନ୍ତି । ତିନି ଫର୍ମାଟରେ ସେ ମୋଟ୍ ୬୬୭୮ ରନ୍ କରିଛନ୍ତି । ତନ୍ମଧ୍ୟରେ ୮ ଶତକ, ୨୮ ଅର୍ଦ୍ଧ ଶତକ ସାମିଲ୍ ରହିଛି । ସେ ୩୬୬ଟି ୱିକେଟ୍ ମଧ୍ୟ ନେଇଛନ୍ତି । ମୋଇନ ୨୦୧୯ ରେ ୱାନଡେ ବିଶ୍ୱକପ୍ ଏବଂ ୨୦୨୨ ରେ ଟି-୨୦ ବିଶ୍ୱକପ୍ ଜିଣି ଥିବା ଇଂଲଣ୍ଡ ଟିମ୍ ର ଅଂଶ ଥିଲେ । ମୋଇନ ଅଲୀ ୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ ମୋଟ୍ ୨୯୮ଟି ଅନ୍ତରାଷ୍ଟ୍ରିୟ ମ୍ୟାଚ୍ ଖେଳିଛନ୍ତି ।