ଭୁବନେଶ୍ୱର, ବିଧାୟକ ଓ ପୂର୍ବତନ ବିଧାୟକ ମାନଙ୍କର ଦରମା, ଭତା ଓ ପେନସନ ପ୍ରସଙ୍ଗ ଆଜି ଗୃହରେ ଉଠିଛି । ଉଭୟ ସରକାରୀ ଓ ବିରୋଧୀ ଦଳର ବିଧାୟକ ମାନେ ଏହି ପ୍ରସଙ୍ଗ ଉଠାଇ ଏ ସମ୍ପର୍କରେ ନିଷ୍ପତି ନେବାକୁ ସେମାନେ ଦାବି କରିଛନ୍ତି ।
ଆଜି ଶୂନ୍ୟକାଳରେ କଂଗ୍ରେସ ଦଳର ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, ଗତ ବିଧାନସଭା ସମୟରେ ବିଧାୟକ ତଥା ପୂର୍ବତନ ବିଧାୟକ ମାନଙ୍କର ଭତା, ପେନସନ ଓ ଦରମା ବୃଦ୍ଧି କରିବାକୁ ନେଇ ଏକ କମିଟି ଗଠନ ହୋଇଥିଲା । 2022 ମସିହାରେ ଗଠିତ ହୋଇଥିବା କମିଟିରେ ମୁଁ ମଧ୍ୟ ସଦସ୍ୟ ଥିଲି । ଏହି କମିଟି ତାର ରିପୋର୍ଟ ପ୍ରଦାନ କରିଥିଲା । ଏହା ପରେ ଏହି ରିପୋର୍ଟକୁ ନେଇ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ତେଣୁ ଏହାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ଏହି ପ୍ରସଙ୍ଗରେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦିଅନ୍ତୁ ବୋଲି ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ ।
ସରକାରୀ ଦଳର ବିଧାୟକ ସନାତନ ବିଜୁଳି ମଧ୍ୟ ସେହି ସମାନ ପ୍ରସଙ୍ଗ ଉଠାଇଥିଲେ ଓ ବିଧାୟକ ଓ ପୂର୍ବତନ ବିଧାୟକ ମାନଙ୍କର ଦରମା, ଭତା ଓ ପେନସନ ବଢାଇବାକୁ ଦାବି କରିଥିଲେ । ଏହା ପରେ ଭାସ୍କର ମଢେଇ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ବାହିନିପତି ଓ ସନାତନ ବିଜୁଳିଙ୍କୁ ସମର୍ଥନ କରିଥିଲେ ।