-
ଆଗାମୀ ୩ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା
-
ମତ୍ସ୍ୟଜିବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ
ଭୁବନେଶ୍ଵର– ପଶ୍ଚିମକେନ୍ଦ୍ରିୟ ଏବଂ ତତସଂଲଗ୍ନ ଉତରପଶ୍ଚିମ ବଙ୍ଗୋପସାଗରର ଉତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଉପରେ ରହିଥିବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଶନିବାର ସକାଳେ ଅବପାତରେ ପରିଣତ ହୋଇଛି । ଯାହାର ପ୍ରଭାବରେ ଆଗାମୀ ୩ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ଯାହାକୁ ଦୃଷ୍ଟିରେ ରଖି ଆଗାମୀ ୨୪ ଘଂଟା ପାଇଁ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ୩ ଜିଲ୍ଲା ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର । ଏସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ୭ରୁ ୨୦ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ହେଲା ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି । ଏସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ୭ରୁ ୧୧ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ ।
ସେହିପରି ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୧ ତାରିଖ ସକାଳ ୮ଟା ୩୦ରୁ ୨ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ଭୀଷଣ ବର୍ଷା ନେଇ ୫ ଜିଲ୍ଲା ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ୭ରୁ ୧୧ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
ପଶ୍ଚିମ କେନ୍ଦ୍ରୀୟ ଓ ତତସଂଲଗ୍ନ ଉତରପଶ୍ଚିମ ବଙ୍ଗୋପସାଗରରେ ଶନିବାର ଓ ରବିବାର ପବନର ବେଗ ୪୫ରୁ ୫୫ କି.ମି. ଏବଂ ସ୍ଥଳବିଶେଷରେ ୬୫ କି.ମି. ପର୍ଯ୍ୟନ୍ତ ବଢିପାରେ । ଏହି ସମୟରେ ଦକ୍ଷିଣ ଓଡ଼ିଶା ଉପକୂଳରେ ପବନର ବେଗ ୪୫ରୁ ୫୫ କି.ମି. ଏବଂ ସ୍ଥଳବିଶେଷରେ ୬୫ କି.ମି. ପର୍ଯ୍ୟନ୍ତ ବଢିପାରେ । ଏହି ସମୟରେ ଉତର ଓଡ଼ିଶା ଉପକୂଳରେ ପବନର ବେଗ ୩୫ରୁ ୪୫ କି.ମି. ଏବଂ ସ୍ଥଳବିଶେଷରେ ୫୫ କି.ମି. ପର୍ଯ୍ୟନ୍ତ ବଢିପାରେ । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯିବାକୁ ବାରଣ କରାଯାଇଛି ।