ଭବାନୀପାଟଣା– ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧିକୁ ନେଇ ତ୍ରୁଟିଶୂନ୍ୟ ସଂକ୍ଷିପ୍ତ ଭୋଟର ତାଲିକା କାର୍ଯ୍ୟକ୍ରମ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ୨୦.୦୮.୨୦୨୪ ରୁ ଆରମ୍ଭ ହୋଇଥିବା ଓ ୧୮.୧୦.୨୦୨୪ ପର୍ଯ୍ୟନ୍ତ ଏହି ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ବି.ଏଲ.ଓ. ମାନେ ଘରକୁ ଘର ଯାଇ ଭୋଟର ତାଲିକାରେ ଆବଶ୍ୟକ ସଂଶୋଧନ ସହ ଫୋଟୋ ସମ୍ବନ୍ଧିତ କାର୍ଯ୍ୟକ୍ରମକୁ ତଦାରଖ କରିବେ । ଆସନ୍ତା ୨୦୨୫ ମସିହା ଜାନୁଆରୀ ୧ ତାରିଖ ସୁଦ୍ଧା ନୂତନ ଭୋଟରଙ୍କ ନାମ ଅନ୍ତର୍ଭୁକ୍ତ , ମୃତ୍ଯୁବରଣ କରିଥିବା ଭୋଟରଙ୍କ ନାମ ବାଦ, ଅନୁପସ୍ଥିତି, ବିବାହଜନିତ ଅଦଳବଦଳ, ସଠିକ ଫୋଟୋ ଓ ଠିକଣା ସଂଶୋଧନ କରି ଆସନ୍ତା ୦୬.୦୧.୨୦୨୫ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ହେବ । ଏହା ବ୍ୟତୀତ ଭୋଟର ତାଲିକା ସଂଶୋଧନ ପାଇଁ ସ୍ବତନ୍ତ୍ର ତାରିଖ ନିର୍ଦ୍ଧାରଣ କରି ଶିବିରର ଆୟୋଜନ ମଧ୍ୟ କରାଯିବ ଓ ଆପତ୍ତି ଅଭିଯୋଗ ଥିଲେ ୨୯.୧୦.୨୦୨୪ ରୁ ୨୮.୧୧.୨୦୨୪ ମଧ୍ୟରେ ଏହା ଗ୍ରହଣ ହେବ ।
ପ୍ରକାଶ ଥାଉ କି, କଳାହାଣ୍ଡି ଜିଲ୍ଲାରେ ତଥ୍ୟ ଅନୁସାରେ ୫ଟି ନିର୍ବାଚନ ମଣ୍ଡଳୀରେ ମୋଟ ୧୪୧୦ ଟି ପୋଲିଂ ବୁଥ ସହ ୩୦.୦୮.୨୦୨୪ ପର୍ଯ୍ୟନ୍ତ ୧୨୦୯୦୦୭ ଜଣ ଭୋଟର ତାଲିକାଭୁକ୍ତ ଅଛନ୍ତି ଓ ଏଥିରୁ ୬୦୬୦୬୨ ଜଣ ପୁରୁଷ, ୬୦୨୮୭୭ ଜଣ ମହିଳା ଓ ୬୦୨୮୭୭ ଜଣ ମହିଳା ଓ ୬୮ ଜଣ ତୃତୀୟ ଲିଙ୍ଗ ଅଟନ୍ତି । ୧୮ ବର୍ଷ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି । ସୁସ୍ଥ ଗଣତନ୍ତ୍ର ପାଇଁ ନିର୍ଭୁଲ ଭୋଟର ତାଲିକା କେତେ ଜରୁରୀ ତାହା ଉପରେ ଉପସ୍ଥିତ ସମସ୍ତ ରାଜନୈତିକ ଦଳ ର ସହଯୋଗକୁ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ ।
ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳ ର ପ୍ରତିନିଧି ରୂପେ ବିଜେପି ଦଳରୁ ଜୟ ଶଙ୍କର ନାଏକ , ବିଜେଡ଼ି ଦଳରୁ ଭବାନୀ ଶଙ୍କର ନିଆଲ , ଭାରତୀୟ ଜାତୀୟ କଂଗ୍ରେସ ଦଳରୁ ଉତ୍ସବ ସାହୁ , ଆମ ଆଦମି ପାର୍ଟିରୁ ସତ୍ୟ ନାରାୟଣ ମାହାର, ବହୁଜନ ସମାଜ ପାର୍ଟିରୁ ସୟଦ ହନିଫ, କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆରୁ ନବ ପଟ୍ଟନାୟକ ଙ୍କ ସହ ଭାରପ୍ରାପ୍ତ ଉପଜିଲ୍ଲାପାଳ, ଭବାନୀପାଟଣା ଜୟଦେବ ଦାସ, ଡେପୁଟି କଲେକ୍ଟର ( ନିର୍ବାଚନ ) ଚନ୍ଦ୍ରହାସ୍ୟ ମହାନନ୍ଦିଆ, ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ( ସେଭିଙ୍ଗ ଓ ଫାଇନାନ୍ସିଆଲ ) ବିବେକାନନ୍ଦ ମହାନନ୍ଦ, ଡି.ଆଇ.ପି.ଆର.ଓ ମନୋଜ ବେହେରା, ସହକାରୀ ଜିଲ୍ଲାପାଳ ( ଉପ ଜିଲ୍ଲାପାଳ ) ପ୍ରିୟ ରଞ୍ଜନ ସେଠଙ୍କ ସହ ନିର୍ବାଚନ ଶାଖାର କର୍ମଚାରୀବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।