ଭୁବନେଶ୍ୱର, ପୂର୍ବ ସରକାର ଭୂମିହୀନଙ୍କୁ ପଟ୍ଟା ଦେଇଛନ୍ତି । ହେଲେ ଜମି ଦେଇନାହାନ୍ତି । ପୂର୍ବ ସରକାର ଲିଫଲେଟ୍ ବାଣ୍ଟିଲା ଭଳି ପଟ୍ଟା ବାଣ୍ଟି ଦେଇଛନ୍ତି । ଫାଇଲ୍ ଖୋଲା ହୋଇନି କି ଅନୁସନ୍ଧାନ ମଧ୍ୟ ହୋଇନି । କାହାକୁ ଜମି ପଟ୍ଟା ଦେବାକୁ ହେଲେ ଏକ ପ୍ରକ୍ରିୟା ରହିଛି । କୌଣସି ପ୍ରକ୍ରିୟା ଅବଲମ୍ବନ ନ କରାଯାଇ ପୂର୍ବ ସରକାର ଲିଫଲେଟ୍ ବାଣ୍ଟିଲା ଭଳି ପଟ୍ଟା ବାଣ୍ଟି ଦେଇଛନ୍ତି । ଏହା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ।
ଆଜି ପ୍ରଶ୍ନକାଳରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତରରେ ଶ୍ରୀ ପୁଜାରୀ କହିଛନ୍ତି ଯେ, ନୂଆ ସରକାର ସର୍ଭେ କାମ ଆରମ୍ଭ କରି ଦେଇଛନ୍ତି । ଯେଉଁ ମାନଙ୍କର ଘର ଡିହ ନାହି ସମସ୍ତଙ୍କୁ ସରକାର ଭୂମି ଯୋଗାଇ ଦେବେ । ସେହିପରି ପୂର୍ବବର୍ତୀ ସରକାର ବିନା କୌଣସି ପ୍ରକ୍ରିୟାରେ ଯେତେ ଲୋକଙ୍କୁ ପଟ୍ଟା ଦେଇଛନ୍ତି ସେମାନେ ସମସ୍ତଙ୍କୁ ଜମି ଦିଆଯିବ । ଏହା ହେଉଛି ମୋଦୀଙ୍କ ଗ୍ୟାରେଂଟି । ଏହି ଲକ୍ଷ୍ୟ ନେଇ ମୋହନ ସରକାର କାମ କରୁଛି । ସେ ଏହି କାର୍ଯ୍ୟ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।