-
ପ୍ରଧାନମନ୍ତ୍ରୀ ଜଲଗାଓଁରେ ଲକ୍ଷପତି ଦିଦି ସମ୍ମିଳନୀରେ ଭାଗନେବେ
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୫ ଅଗଷ୍ଟରେ ମହାରାଷ୍ଟ୍ରର ଜଲଗାଓଁ ଏବଂ ରାଜସ୍ଥାନର ଯୋଧପୁର ଗସ୍ତ କରିବେ । ସକାଳ ପ୍ରାୟ ୧୧:୧୫ ସମୟରେ, ପ୍ରଧାନମନ୍ତ୍ରୀ ଲକ୍ଷପତି ଦିଦି ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଅପରାହ୍ନ ପ୍ରାୟ ୪:୩୦ ସମୟରେ, ପ୍ରଧାନମନ୍ତ୍ରୀ ଯୋଧପୁରରେ ରାଜସ୍ଥାନ ହାଇକୋର୍ଟର ପ୍ଲାଟିନମ୍ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।
ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ :
ଲକ୍ଷପତି ଦିଦି ସମ୍ମିଳନୀରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ ଜଲଗାଓଁ ଗସ୍ତ କରିବେ । ସେଠାରେ ସେ ୧୧ ଲକ୍ଷ ନୂଆ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ସହ ସମ୍ମାନିତ କରିବେ, ଯେଉଁମାନେ ନିକଟରେ ଏନ୍ଡିଏ ସରକାରର ତୃତୀୟ କାର୍ଯ୍ୟକାଳରେ ଲକ୍ଷପତି ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଲକ୍ଷପତି ଦିଦିଙ୍କ ସହ ମଧ୍ୟ ଆଲୋଚନା କରିବେ ।
ପ୍ରଧାନମନ୍ତ୍ରୀ ୨,୫୦୦ କୋଟି ଟଙ୍କାର ଏକ ରିଭଲ୍ଭିଙ୍ଗ୍ ଫଣ୍ଡ୍ ଜାରି କରିବେ, ଯାହା ଦ୍ୱାରା ୪.୩ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ର ପ୍ରାୟ ୪୮ ଲକ୍ଷ ସଦସ୍ୟ ଲାଭବାନ ହେବେ । ସେ ମଧ୍ୟ ୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରିବେ, ଯାହା ଦ୍ୱାରା ୨.୩୫ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ର ପ୍ରାୟ ୨୫.୮ ଲକ୍ଷ ସଦସ୍ୟ ଉପକୃତ ହେବେ ।
ଲକ୍ଷପତି ଦିଦି ଯୋଜନା ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ୧ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯାଇଛି । ଆଗାମୀ ଦିନରେ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।
ରାଜସ୍ଥାନରେ ପ୍ରଧାନମନ୍ତ୍ରୀ :
ଯୋଧପୁର ହାଇକୋର୍ଟ ପରିସରରେ ଆୟୋଜିତ ହେବାକୁ ଥିବା ରାଜସ୍ଥାନ ହାଇକୋର୍ଟର ପ୍ଲାଟିନମ୍ ଜୟନ୍ତୀ ଉତ୍ସବର ଉଦ୍ଯାପନ ସମାରୋହରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ମଧ୍ୟ ରାଜସ୍ଥାନ ହାଇକୋର୍ଟ ସଂଗ୍ରହାଳୟର ଉଦ୍ଘାଟନ କରିବେ ।