ବ୍ରହ୍ମଗିରି- ଆଜି ସକାଳେ ଘନ କୁହୁଡ଼ି ଯୋଗୁଁ ଚିଲିକାରେ ୨ ଘଂଟାରୁ ଉର୍ଦ୍ଧ୍ୱ ସମୟ ଧରି ଫଶି ରହିଥିଲା ଏକ ଯାତ୍ରୀବାହି ଡ଼ଙ୍ଗା । ଏହି ମୋଟର ଚାଳିତ ଡ଼ଙ୍ଗାଟି ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିବା ବେଳେ ଘନ କୁହୁଡ଼ି ଯୋଗୁଁ ନାଉରିଆ ବାଟ ଜାଣି ନପାରିବାରୁ ଡ଼ଙ୍ଗାଟି ଚିଲିକା ମଝିରେ ଫସି ଯାଇଥିଲା । କୁହୁଡ଼ି ଛାଡିବା ପରେ ଦୁଇ ଘଂଟା ବିଳମ୍ବରେ ଡ଼ଙ୍ଗାଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରି ଜହ୍ନିକୁଦାରେ ପହଂଚି ଥିବା ଜଣାପଡିଛି । ଏହି ଡ଼ଙ୍ଗାରେ ପ୍ରାୟ ୩୦ ଜଣ ଯାତ୍ରୀ ଓ ୧୦ଟି ବାଇକ୍ ଥିବା ସୂଚନା ମିଳିଛି । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।
ପ୍ରାପ୍ତ ସୂଚନା ମୁତାବକ, ଡ଼ଙ୍ଗାଟି ଆଜି ସକାଳ ୭ଟା ୧୫ ମିନିଟ୍ ସମୟରେ ସାତପଡ଼ା ଘାଟରୁ ଛାଡିଥିଲା । ୫ କି.ମି. ଅତିକ୍ରମ କରି ଡ଼ଙ୍ଗାଟି ଜହ୍ନିକୁଦାରେ ପହଂଚିବାକୁ ପ୍ରାୟ ୪୫ ମିନିଟ୍ ସମୟ ଲାଗିଥାଏ । ମାତ୍ର ଆଜି କୂଳ ଠାରୁ ଏକ କି.ମି. ଯିବା ପରେ ଘନ କୁହୁଡ଼ି ଯୋଗୁଁ ନାଉରିଆ ପଥହରା ହୋଇପଡିଥିଲେ । ଫଳରେ ମହିଷା ବ୍ରହ୍ମପୁର ନିକଟସ୍ଥ ଏକ ଗ୍ରାମ ପାଖାପାଖି ଡ଼ଙ୍ଗାଟି ଫସି ଯାଇଥିଲା । ଏହାପରେ କୁହୁଡ଼ି ଛାଡିବା ପରେ ଦିନ ପ୍ରାୟ ୯ଟା ପରେ ଡ଼ଙ୍ଗାଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଥିଲା । ସକାଳ ୧୦ଟା ସମୟରେ ଡ଼ଙ୍ଗାଟି ଜହ୍ନିକୁଦାରେ ପହଂଚିଥିବା ସୂଚନା ମିଳିଛି ।