
Odisha, ସ୍ଥାୟୀ ନିଯୁକ୍ତି ଓ ନିୟମିତ ଦରମା ସହ ୧୦ ଦଫା ଦାବି ନେଇ ଓଡିଶା ଗ୍ରାମ ପଞ୍ଚାୟତ ପିଅନ ସଂଘ କୋରାପୁଟ ଜିଲ୍ଲା ଶାଖା ଶୁକ୍ରବାର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛି। ଜିଲ୍ଲା କାର୍ଯ୍ୟକାରୀ ସଭାପତି କିଶୋର ଚନ୍ଦ୍ର ପୂଜାରୀ ଏବଂ ସମ୍ପାଦକ ସୁରେଶ ପାଇକଙ୍କ ନେତୃତ୍ୱରେ ବିଭିନ୍ନ ବ୍ଲକରୁ ଆସିଥିବା ପ୍ରତିନିଧି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସେମାନଙ୍କ ଦାବିପତ୍ର ପ୍ରଦାନ କରିଥିଲେ। ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପିଅନ ଭାବେ କାମ କରୁଥିବା ବ୍ୟକ୍ତି ସରକାରୀ କର୍ମଚାରୀ ହୋଇ ନ ଥିଲେ ମଧ୍ୟ ପୂର୍ବାହ୍ନ ୧୦ ଘଣ୍ଟାରୁ ଅପରାହ୍ନ ୫ଟା ଯାଏଁ ସେମାନେ କାର୍ଯ୍ୟାଳୟ ଖୋଲା ରଖି ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରୁଛନ୍ତି କିନ୍ତୁ ରାଜ୍ୟ ସରକାର ସର୍ବନିମ୍ନ ମଜୁରୀ ବଦଳରେ ମାତ୍ର ଏକ ଶହରୁ ହଜାରେ ଟଙ୍କା ମଧ୍ୟରେ ଦରମା ଦେଉଥିବା ଅଭିଯୋଗ କରିଛନ୍ତି। ଗ୍ରାମ ପଞ୍ଚାୟତ ଆଇନ ୧୯୬୪ ଧାରା ୨୧୨ ଅନୁଯାୟୀ ଗ୍ରାମ ପଞ୍ଚାୟତ ସମ୍ପାଦକ ଓ ୨୨୯ ଧାରାରେ ଚତୁର୍ଥ ଶ୍ରେଣୀ ପିଅନ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ଜିଲ୍ଲା ପଞ୍ଚାୟତ ଅଧିକାରୀ ନିଯୁକ୍ତି ପ୍ରଦାନ କରିଥିଲେ | ୨୦୦୯ ମସିହାରେ ଗ୍ରାମ ପଞ୍ଚାୟତର ସମ୍ପାଦକ ଭିଏଲଡବ୍ଲୁ ପଦକୁ ପଦୋନ୍ନତି ପାଇଥିଲେ | କିନ୍ତୁ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ପିଅନ, ରାତ୍ରୀ ଜଗୁଆଳୀ ମାନେ ଅଲୋଡ଼ା ହୋଇ ରହିଗଲେ | ଉଭୟ କର୍ମଚାରୀଙ୍କର ନିଯୁକ୍ତିଦାତା ଡିପିଓ ଥିଲାବେଳେ ସମ୍ପାଦକ ମାନେ ଭିଏଲଡବ୍ଲୁ ପଦକୁ ପଦୋନ୍ନତି ପାଇଲେ ଅଥଚ ଗ୍ରାମ ପଞ୍ଚାୟତ ପିଅନ ଏଥିରୁ ବଞ୍ଚିତ ହେଲେ। ଗ୍ରାମ ପଞ୍ଚାୟତର ନିଜସ୍ୱ ଆୟରୁ ଉକ୍ତ କର୍ମଚାରୀ ଦରମା ପାଇବାକୁ ଥିବାବେଳେ ସମସ୍ତ ପଞ୍ଚାୟତର ନିଜସ୍ୱ ଆୟ ସମାନ ନୁହେଁ ତେଣୁ କର୍ମଚାରୀ ମାନେ ନିଜ ପରିବାର ପ୍ରତିପୋଷଣ କେମିତି କରିବେ ତାହା ଅନୁଧ୍ୟାନର ବିଷୟ ବୋଲି ସଂଘ ପ୍ରଶ୍ନ କରି ପିଅନ ମାନଙ୍କୁ ସ୍ଥାୟୀ ନିଯୁକ୍ତି ସହ ଶିକ୍ଷାଗତ ଯୋଗ୍ୟତା ଭିତିରେ ପଦନ୍ନୋତି ଓ ନିୟମିତ ଦରମା ଦେବାକୁ ଦାବୀ କରିଛି। ସ୍ଥାୟୀ ନିଯୁକ୍ତି ପର୍ଯ୍ୟନ୍ତ ସେମାନଙ୍କୁ ସର୍ବନିମ୍ନ ୪୫୦ ଟଙ୍କା ଦୈନିକ ମଜୁରୀ ଦେବା ସହ ସର୍ବନିମ୍ନ ଦରମା ୧୮ ହଜାର ଟଙ୍କା କରି ଦରମା ପ୍ରତି ମାସରେ ଦେବାକୁ ଦାବୀ କରିଛନ୍ତି। ଏହା ବ୍ୟତୀତ ପଞ୍ଚାୟତ କାର୍ଯ୍ୟାଳୟର ପିଅନ ମାନଙ୍କୁ ଦରମା ପାଇଁ ପଞ୍ଚାୟତି ରାଜ ବିଭାଗ ସ୍ୱତନ୍ତ୍ର ବଜେଟ୍ କରିବା, ଜୀବନ ବୀମା,୬୦ ବର୍ଷ ପରେ ଅବସର ଦେଇ ପେନସନ ଦେବା ଇତ୍ୟାଦି ଦାବୀ ସଂଘ ପକ୍ଷରୁ କରାଯାଇଛି।