ଭୁବନେଶ୍ୱର, ବିଧାନସଭାର ଚଳିତ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ବିରୋଧୀ ଦଳ ଗୁଡିକର ବିଧାୟକ ମାନେ ଭିନ୍ନ ଭିନ୍ନ ପ୍ରସଙ୍ଗ ନେଇ ନାରାବାଜୀ ଓ ହଟ୍ଟଗୋଳ କରିଥିଲେ । ଏହି କାରଣରୁ ବାଚସ୍ପତି ଗୃହକୁ ଏକ ଘଂଟା ପାଇଁ ସ୍ଥଗିତ ରଖିଥିଲେ । ଫଳରେ ଆଜି ପ୍ରଶ୍ନକାଳ କାର୍ଯ୍ୟକ୍ରମ ହୋଇ ପାରି ନଥିଲା ।
ଶୋକ ପ୍ରସ୍ତାବ ଆଗତ ହେବା ପରେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ନିର୍ଧାରିତ କାର୍ଯ୍ୟ ସୂଚୀ ଅନୁଯାୟୀ ପ୍ରଶ୍ନକାଳ ଆରମ୍ଭ କରିବାକୁ ଚାହିଁଥିଲେ । ସେ ମନ୍ତ୍ରୀ ରବି ନାରାୟଣ ନାୟକଙ୍କୁ ପ୍ରଶ୍ନର ଉତର ଦେବାକୁ ଡାକିଥିଲେ । ମନ୍ତ୍ରୀ ଶ୍ରୀ ନାୟକ ମଧ୍ୟ ତାଙ୍କ ଉତର ପଢୁଥିବା ଦେଖିବାକୁ ମିଳିଥିଲା । ହେଲେ କଂଗ୍ରେସ ଦଳର ବିଧାୟକ ମାନେ ଛାତ୍ର ସଂସଦ ନିର୍ବାଚନ କରାଇବା ପ୍ରସଙ୍ଗରେ ନାରାବାଜୀ କରିଥିଲେ । ଏହା ପରେ କଂଗ୍ରେସ ବିଧାୟକ ମାନେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିବା ଦେଖା ଦେଇଯାଇଥିଲା । ଅନ୍ୟ ପକ୍ଷରେ ବିରୋଧୀ ଦଳ ବିଜେଡିର ବିଧାୟକ ମାନେ ରାଜ୍ୟପାଳଙ୍କ ପୁଅ ଦ୍ୱାରା ରାଜଭବନ କର୍ମଚାରୀଙ୍କୁ ମାଡ ମାରିବା ପ୍ରସଙ୍ଗରେ ନାରାବାଜୀ କରିଥିବା ଦେଖିବାକୁ ମିଳିଥିଲା । କଂଗ୍ରେସ ବିଧାୟକ ମାନଙ୍କ ପରେ ବିଜେଡି ବିଧାୟକ ମାନେ ମଧ୍ୟ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଟା କରୁଥିବା ଓ ସୁରକ୍ଷାକର୍ମୀ ମାନେ ତାଙ୍କୁ ଅଟକାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ବାଚସ୍ପତି ଶ୍ରୀମତୀ ପାଢୀ ହଟ୍ଟଗୋଳ କରୁଥିବା ବିଧାୟକ ମାନଙ୍କୁ ନିଜ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ମାତ୍ର ବିରୋଧୀ ଦଳର ବିଧାୟକ ମାନଙ୍କ ମନରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳି ନ ଥିଲା । ଫଳରେ ବାଚସ୍ପତି ଗୃହକୁ 11.41 ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।