ବୁଲନ୍ଦସହର– ଉତର ପ୍ରଦେଶର ବୁଲନ୍ଦସହର ଜିଲ୍ଲାର ସଲେମପୁର ଥାନା ଅଂଚଳରେ ଶିକାରପୁର-ବୁଲନ୍ଦସହର ରୋଡରେ ମ୍ୟାକ୍ସ ପିକଅପ ଓ ଘରୋଇ ବସରେ ରବିବାର ସକାଳେ ହୋଇଥିବା ଦୁର୍ଘଟଣାରେ 10ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 29ଜଣ ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ଘଟଣା ସଂପର୍କରେ ଅନୁଧ୍ୟାନ କରିବା ସହ ଆହତଙ୍କ ଚିକିତ୍ସା କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ମୁତାବକ ଆଜି ଏକ ପିକଅପ ଭାଡି ଗାଜିଆବାଦରୁ ସଂଭଲ ଅଭିମୁଖେ ଯାଉଥିଲା ଏବଂ ଏକ ଘରୋଇ ବସ ବୁଲନ୍ଦସହର ଅଭିମୁଖେ ଯାଉଥିଲା । ଏହି ସମୟରେ ସଲେମପୁର ଥାନା ଅଂଚଳରେ ପିକଅପ ଓ ଘରୋଇ ବସ ମୁହାଁମୁହିଁ ମଧ୍ୟରେ ଭୀଷଣ ଧକ୍କା ହୋଇଛି । ଦୁଇଟି ଗାଡିରେ ପ୍ରାୟ 39ଜଣ ଲୋକ ଥିଲେ । ଏଥିରୁ 10ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 29ଜଣ ଆହତ ହୋଇଛନ୍ତି । ପୋଲିସ 8ଟି ମୃତଦେହର ଚିହ୍ନଟ କରିଛି ।