ଭୁବନେଶ୍ୱର – ତିନିଦିନ ଧରି ହେବାକୁ ଥିବା ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଦଶମ ଶତାବ୍ଦୀରେ ନିର୍ମିତ କାରୁକାର୍ଯ୍ୟପୂର୍ଣ୍ଣ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୁଭ ଉଦଘାଟନ ହୋଇଥିଲା । ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପ୍ରଫୁଲ୍ଲ କର ଓ ସାଥୀଙ୍କ ଦ୍ୱାରା ଶିବ ବନ୍ଦନାରୁ । ବୃନ୍ଦଗାନରେ ସେମାନେ ପ୍ରସ୍ତୁତ କରିଥିଲେ ଶିବ ବନ୍ଦନା ଓଁ ନମଃ ଶିବାୟ । ଏହି ସମବେତ ସଙ୍ଗୀତକୁ ନିଦେ୍ର୍ଧଶନା ଦେଇଥିଲେ ନିଜେ ପ୍ରଫୁଲ୍ଲ କର । ପରବର୍ତୀ କାର୍ଯ୍ୟକ୍ରମ ଥିଲା ପଣ୍ଡିଚେରୀରୁ ଆସିଥିବା ଓଡ଼ିଶୀ ନୃତ୍ୟ ଶିଳ୍ପୀ ସଙ୍ଗିତା ଦାସଙ୍କ ଏକକ ଓଡ଼ିଶୀ । ତାଙ୍କର ପ୍ରଥମ ଅର୍ଘ୍ୟ ଥିଲା ଅଭିନୟ ଶିବ ଆରାଧନା ଓ ଲକ୍ଷ୍ମୀ ସ୍ତୁତି ପରେ ପରେ ରାଧା କୃଷ୍ଣଙ୍କ ଉପରେ ଆଧାରିତ ଅଭିନୟ କି ଶୁଣିବି ଆଜ ନୂଆ କରି ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ ଓ ନୃତ୍ୟ ସଂରଚନା କରିଥିଲେ ନିଜେ ଗୁରୁ ସଙ୍ଗୀତା ଦାସ । ଯୁଗ୍ମ ନୃତ୍ୟ କାର୍ଯ୍ୟକ୍ରମରେ ଲିମା ଭୋଳ ଓ ଅରୂପା ଗାୟତ୍ରୀଙ୍କ ଦ୍ୱାରା ପ୍ରଥମେ ଅଭିନୟ କି ନାଦରେ ପରେ ପରେ ଶକ୍ତି ବହୁ ରୂପ । ଶେଷ କାର୍ଯ୍ୟକ୍ରମ ଥିଲା ଦଳଗତ ନୃତ୍ୟରୁ, ପାର୍ବତୀ ଦତ ଓ ସାଥୀଙ୍କ ଦ୍ୱାରା ପ୍ରଥମେ ମଙ୍ଗଳା ଚରଣ ଶିବ ବନ୍ଦନା ପରେ ପରେ ସେମାନଙ୍କ ପ୍ରସ୍ତୁତିରେ ଥିଲା ପ୍ରତିବିମ୍ବ । ପରବର୍ତୀ ପ୍ରସ୍ତୁତିଟି ଥିଲା ଅଭିନୟ ପୁଣି ଥରେ ଆସ ଏବଂ ଶେଷରେ ସଂସ୍କୃତ ମନ୍ତ୍ର ଓମ ମଣି ପଦ୍ମେ ହମ ପରିବେଶିତ ହୋଇଥିଲା ଯାହାର ନୃତ୍ୟ, ସଙ୍ଗୀତ ଓ ତାଳ ସଂଯୋଜନା କରିଥିଲେ ନିଜେ ଗୁରୁ ପାର୍ବତୀ ଦତ ।
ଉଦଘାଟନୀ ସଂଧ୍ୟାର ଏହି ମନୋରମ କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଦର୍ଶକମାନେ ଉପଭୋଗ କରିଥିଲେ । ଆଜି ସନ୍ଧ୍ୟାରେ ଅତିଥି ଭାବରେ ଯୋଗଦେଇଥିଲେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର, ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ଅରୁଣା ମହାନ୍ତି, ପର୍ଯ୍ୟଟନ ନିଦେ୍ର୍ଧଶକ ସଚିନ ରାମଚନ୍ଦ୍ର ଯାଦବ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡ଼. ସଙ୍ଗୀତା ଗୋସାଇଁ । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ଼. ମୃତୁ୍ୟଞ୍ଜୟ ରଥ ଏବଂ ସଂହତି ପାଣି । ପର୍ଯ୍ୟଟନ ବିଭାଗର ଯୁଗ୍ମ ନିଦେ୍ର୍ଧଶକ, ସହ ନିଦେ୍ର୍ଧଶକ, ପର୍ଯ୍ୟଟନ ଅଧିକାରୀ ଓ ପର୍ଯ୍ୟଟନ ଉନ୍ନୟନ ନିଗମର ଅଧିକାରୀବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।