ଭଦ୍ରକ – ଆଖିରେ ଆଖିଏ ସ୍ୱପ୍ନ । ପାଠପଢି ମଣିଷ ହେବାକୁ ବହୁତ ଇଚ୍ଛା । ହେଲେ ଅର୍ଥ ଏବେ ପ୍ରତିବନ୍ଧକ ସାଜିଛି । କାରଣ ପାଠ ପଢିବା ପାଇଁ ସେମାନଙ୍କ ନିକଟରେ କୌଣସି ସୁଯୋଗ ନାହିଁ । ବିଧବା ମା’ ପର ଘରେ କାମ କରି ଯେଉଁ ଦି ପଇସା ଆଣୁଛନ୍ତି, ସେଥିରେ ଘର ଚଳୁଛି । ଏପରି ସ୍ଥଳରେ ପାଠ ପଢିବା ସ୍ୱପ୍ନରେ ପରିଣତ ହେବାର ସମ୍ଭାବନା ଦେଖାଦେଇଛି । ଏ ହେଉଛି ଭଦ୍ରକ ବ୍ଲକ୍ ବଣିଆ ପଂଚାୟତ ନଛିପୁର ଗ୍ରାମର ୩ ଭଉଣୀଙ୍କ କରୁଣ କାହାଣୀ । ଏହି ୩ ଭଉଣୀ ଲିଜା, ଉଷା ଓ ଲିସା ନିଜର ମା’ ଝରଣା ବେହେରାଙ୍କ ସହ ଜିଲାପାଳଙ୍କ ଅଭିଯୋଗ ପ୍ରକୋÂରେ ପହଂଚି ଆମେ ପାଠ ପଢିବୁ ଓ ଆମକୁ ସୁଯୋଗ ଦିଆଯାଉ ବୋଲି ଗୁହାରି କରିଛନ୍ତି । ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ସମାଜ ମଙ୍ଗଳ ଅଧିକାରୀଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ନିଦେ୍ର୍ଧଶ ଦେଇଥିବା ଜଣାପଡିଛି । ତଥ୍ୟ ଅନୁଯାୟୀ ଭଦ୍ରକ ବ୍ଲକ୍ ବଣିଆ ପଂଚାୟତ ନଛିପୁର ଗ୍ରାମର ଖଗେଶ୍ୱର ବେହେରା । ଖଗେଶ୍ୱର ଜଣେ ଦିନ ମଜୁରିଆ ଥିଲେ । ଗତବର୍ଷ ସର୍ପାଘାତରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ଅନ୍ଧବିଶ୍ୱାସର ବଶବର୍ତୀ ହେଉ କିମ୍ବା ସଚେତନତାର ଅଭାବ, ସେମାନେ ଖଗେଶ୍ୱରଙ୍କ ମୃତଦେହକୁ ପୁଲିସ୍କୁ ନଜଣାଇ ପୋତି ଦେଇଥିଲେ । ସେମାନଙ୍କ ପଡିଶା କିମ୍ବା ସାହିଭାଇ ମଧ୍ୟ ଏ କ୍ଷେତ୍ରରେ ଯେତିକି ସୁପରାମର୍ଶ ଦେବା କଥା ଦେଇନଥିଲେ । ଫଳରେ ସର୍ପାଘାତ ପାଇଁ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଯେଉଁ ଅନୁକମ୍ପା ରାଶି ମିଳିବା କଥା ସେମାନଙ୍କ ପରିବାରକୁ ମିଳିନଥିଲା । ଏକମାତ୍ର ପରିବାରର ରୋଜଗାରକ୍ଷମ ବାପା ଖଗେଶ୍ୱରଙ୍କ ମୃତୁ୍ୟ ପରେ ସେମାନଙ୍କ ନିକଟରେ ଆୟର କୌଣସି ପନ୍ଥା ନଥିଲା । ଏହାସତ୍ୱେ ସେମାନେ ପାଠ ପଢିବାକୁ ଜିଦ୍ କରିଥିଲେ । ସେମାନଙ୍କ ପଢିବାର ଆଗ୍ରହକୁ ସମ୍ମାନ ଦେଇ ମା’ ଝରଣା ପର ଘରେ ମୂଲ ଲାଗି ଆଜିପର୍ଯ୍ୟନ୍ତ ୩ ଝିଅଙ୍କୁ ପଢାଇ ଚାଲିଛନ୍ତି । ସେମାନଙ୍କ ମଧ୍ୟରୁ ବଡ ଝିଅ ଲିଜା ପୁରୁଣାବଜାର ଉତରବାହିନୀ ଠାରେ ଥିବା ସାଳନ୍ଦୀ ଡିଗ୍ରୀ ମହାବିଦ୍ୟାଳୟ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ । ପ୍ରତ୍ୟେକ ଦିନ ଦୀର୍ଘ ୧୦ କିଲୋମିଟର ସାଇକେଲ୍ରେ ଯାଇ ସେ କଲେଜରେ ପହଂଚିଥାନ୍ତି । ସେହିପରି ମଝିଆ ଝିଅ ଉଷା ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀର ଛାତ୍ରୀ ଥିବାବେଳେ ସାନଝିଅ ଲିସା ନିଜ ଗାଁ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଛନ୍ତି । ସେମାନଙ୍କ ନିକଟରେ ପଢିବାର ଜିଦ୍ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିବା ଶହ ଶହ ଲୋକଙ୍କୁ ଚକିତ କରିଛି ।
Related Stories
November 25, 2024