ଭୁବନେଶ୍ୱର– ଖୋଲିବ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ଗୁମର। ବିଜେପି ସରକାର ଏହି ମାମଲାର ପୁନଃ ତଦନ୍ତ କରିବାକୁ ନିଷ୍ପତି ନେଇଛନ୍ତି । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦିଲ୍ଲୀରେ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ଦେଇଥିବା ଏକ ସାକ୍ଷାତକାରରେ ଏହା କହିଛନ୍ତି । ତେବେ ଖାଲି ନବ ଦାସ ହତ୍ୟା ମାମଲା ନୁହେଁ, ଅନେକ ପୁରୁଣା କେସର ରିଓପନ କରାଯିବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି । ୨୦୦୮ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲା, ୨୦୨୨ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମଧ୍ୟ ରିଓପନ ହେବ ବୋଲି ଆଇନମନ୍ତ୍ରୀ କହିଛନ୍ତି ।
ଆଇନ ମନ୍ତ୍ରୀ କହିଛନ୍ତି ଯେ ବିଜେଡି ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ ନବ ଦାସ । ଗତ ୨୦୨୩ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ଦିନ ଦିପ୍ରହରରେ ଗୁଳି କରି ହତ୍ୟା କରିଥିଲା ଏଏସଆଇ ଗୋପାଳ ଦାସ । ଅଭିଯୁକ୍ତ ଗୋପାଳ ଦାସ ଜେଲରେ ଥିଲେ ମଧ୍ୟ ଏହି ହତ୍ୟାକାଣ୍ଡ ପଛରେ ବଡ଼ ଷଡଯନ୍ତ୍ର ଥିବା ନେଇ ଅଭିଯୋଗ ହୋଇଥିଲା । କେବଳ ନବ ଦାସଙ୍କ ମାମଲା ନୁହେଁ, ୨୦୨୨ ମମିତା ମେହର ହତ୍ୟା ମାମଲା ଏବଂ ୨୦୦୮ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାର ପୁନଃ ତଦନ୍ତ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ମମିତାଙ୍କ ହତ୍ୟା ମାମଲାରେ ତତକାଳୀନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଉଠିଥିଲା । ପରେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିଥିଲେ।