
ନବରଙ୍ଗପୁର– ନବରଙ୍ଗପୁର ଜିଲ୍ଲାରେ ଘଟିଯାଇଛି ଅଭାବନୀୟ ଘଟଣା । ଶ୍ରାବଣ ମାସର ଚତୁର୍ଥ ସୋମବାରରେ ଶିବ ମନ୍ଦିରରୁ ଜଳଲାଗି କରି ବାଇକ୍ ରେ ଘରକୁ ଫେରିଲା ବେଳେ ଦମ୍ପତିଙ୍କ ଉପରେ ମାଡ଼ିଗଲା ଟ୍ରକ୍ । ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ ରାବଣାଗୁଡ଼ା ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ହେଲେ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛି ଦମ୍ପତିଙ୍କ ୯ ବର୍ଷର ପୁଅ । ଆହତ ନାବାଳକକୁ ଡାକ୍ତରଖାନାରେ ଭର୍ତି କରାଯାଇଛି ।
ଆଜି ସକାଳେ ଦମ୍ପତି ଓ ତାଙ୍କ ପୁଅ ବାଇକ୍ ଯୋଗେ ଶିବ ମନ୍ଦିରକୁ ଯାଇଥିଲେ । ସେଠାରେ ମହାଦେବଙ୍କୁ ଜଳଲାଗି କରିବା ସହ ପୂଜାର୍ଚ୍ଚନା ସାରି ଘରକୁ ଫେରୁଥିଲେ । ରାବଣାଗୁଡ଼ା ଛକ ନିକଟରେ ଦମ୍ପତିଙ୍କୁ ଟ୍ରକ୍ ଟି ଧକ୍କା ଦେଇଥିଲା । ଦମ୍ପତି ଗାଡିରୁ ଛିଟିକି ପଡି ତଳେ ପଡି ଯାଇଥିଲେ । ଟ୍ରକଟି ସେମାନଙ୍କ ଉପରେ ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଦୁଇ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି ।