ନୂଆଦିଲ୍ଲୀ– ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସୁପ୍ରିମକୋର୍ଟ ଦ୍ୱାରା ଦିଆଯାଇଥିବା ଜାମିନ ସର୍ତକୁ ପାଳନ କରି ସୋମବାର ସକାଳେ ଇଡି ଓ ସିବିଆଇ ଅଫିସ ଯାଇ ନିଜ ଉପସ୍ଥିତି ଜାହିର କରାଇଛନ୍ତି । ସୁପ୍ରିମକୋର୍ଟ ସକାଳ 10ରୁ 11 ମଧ୍ୟରେ ଦୁଇଟି ଯାକ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାଳୟ ଯାଇ ତଦନ୍ତକାରୀ ଅଧିକାରୀଙ୍କ ସମ୍ମୁଖରେ ନିଜର ଉପସ୍ଥିତି ଜାହିର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମନୀଷ ସିସୋଦିଆ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରି ଜଣେ ସାଧାରଣ ନାଗରିକଙ୍କ ପରି ପ୍ରଥମେ ସିବିଆଇ କାର୍ଯ୍ୟାଳୟରେ ପହଂଚିଥିଲେ, ଯେଉଁଠାରେ ସେ ତାଙ୍କ ତଦନ୍ତକାରୀ ଅଧିକାରୀଙ୍କୁ ସାକ୍ଷାର କରି ଉପସ୍ଥିତି ରେଜିଷ୍ଟରରେ ହସ୍ତାକ୍ଷର କରିଥିଲେ । ଏହାପରେ ସେ ଇଡି କାର୍ଯ୍ୟାଳୟରେ ପହଂଚି ସେଠାରେ ଅଧିକାରୀଙ୍କ ସମ୍ମୁଖରେ ନିଜ ଉପସ୍ଥିତି ଜାହିର କରାଇ ହସ୍ତାକ୍ଷର କରିଥିଲେ ।